କାଳି ଝିଅ
କାଳି ଝିଅ
ରୋଷଣି ବାଜାରେ...
ଗାଁସାରା ଉଛୁଳି ପଡୁଛି
ଝିଅର ବାହାଘରକୁ ନେଇ
ଗାଁ ମାଇପିଙ୍କ ଟାହି ଟାପରା
କଣ ତା ଦେହର ରଙ୍ଗ ବଦଳି ଯିବ ?
ସାତ ପୁରୁଷର ଘର ଡିହ
ବନ୍ଧା ଦେଇ ବାହାଘର କରିବା
ମୋ ଅନ୍ଧାର ଭବିଷ୍ୟତକୁ
ତୁ ଦୀପ ଦେଖାଇଲୁ ବୋଉ
ବୋଉଲୋ ଆଜି ତୋ ଦୀପ ଥରୁଛି
ସାତ ଜନମ ପାଇଁ ସାକ୍ଷୀ କରି
ହାତ ଧରିଥିବା ଲୋକଟିର
ଦୂର ଦୂର ଭାବରେ
ଶାଶୁ ନଣନ୍ଦ ଦେଖଣାହାରୀଙ୍କ
ମୁହଁମୋଡା ଟାହି ଟାପରା ସାହି ଦାଣ୍ତରେ
କେମିତି ବଞ୍ଚିବ ତୋ ଦୀପର ସଳିତା ?
ନିଜର ସୁଖ ସ୍ୱପ୍ନକୁ ଜଳାଞ୍ଜଳି ଦେଇ
ମୋ ପାଇଁ ସାଇତି ଥିବା ତୋ ସିନ୍ଦୁକ
ଆଜି ମୋ ପାଇଁ ଶ୍ମଶାନର ତୁଳସୀ
ଦେହର ରଙ୍ଗ କଳା ବୋଲି ତ
ହାତୀ ଦେଲୁ ଘୋଡା ଦେଲୁ
ସୂତାରୁ ମୁକ୍ତା ଯାଏ ସବୁ ଯୋଗାଡିଲୁ
ତୋ ସଂସାରକୁ ଉଜାଡିଦେଇ
ମୋ ସଂସାରକୁ ସଜାଡିଲୁ
ତୋ ଆପଣାର ଫୁଟିଲା ଫୁଲ
ମୋ ଅଗଣାରେ ଫୁଟେ ତାରା
ଦଶମାସ ଗର୍ଭ ରଖି ଜନ୍ମ ସିନା ଦେଲୁ
କର୍ମ କେମିତି ଦେଇଥାନ୍ତୁ ଯେ ?
ତୁ ନିଶ୍ଚିତ ରହ ବୋଉ
ଏ ଥର ମୋତେ ଏକା ଲଢିବାକୁ ଦେ
ଜୀବନର ବଡଦାଣ୍ତରେ
ମୋତେ ଏକା ଏକା ଚିହ୍ନିବାକୁ ହେବ
ଅସଜଡା ବଳୟ ଭିତରେ
ମୁଁ ବିନ୍ଦୁଟିଏ ହୋଇ ଖୋଜିବି
ସେ ହାତ ଧରିଥିବା ପୁରୁଷର ପୁରୁଷତ୍ୱକୁ
