କାଇପଡ଼ା ଗୁଳିକାଣ୍ଡ
କାଇପଡ଼ା ଗୁଳିକାଣ୍ଡ
ଯାଜପୁର ଜିଲ୍ଲା ବିଦ୍ରୋହୀ ମାତିଲେ-ଅଶାନ୍ତ କଳାମାଟିଆ,
ଦେଶପ୍ରେମୀ ମିଶି ଡକାଇଲେ ସଭା-ଚାଲ କାଇପଡ଼ା ଗାଆଁ |
କାଠଗୋଲାଠାରେ ଜମାହେଲେ ଲୋକ ବରଷାରେ ଭିଜିଭିଜି,
ଶପଥ କରିଲେ ଲଢିକି ମାରିବେ ଲଗାଇ ଜୀବନ ବାଜି |
ଫଉଜ ଆସିଲେ ବନ୍ଧୁକ ସଜେଇ କହିଲେ ଫୁଟିବ ଗୁଳି,
ସାବଧାନ କରି ପୁଲିସ ଠାରିଲା ପଳାଅ ପଳାଅ ବୋଲି |
ପୁଲିସ କଥାକୁ ନକରି ଖାତର ବନ୍ଦୀହେଲେ ବିଦ୍ୟାଧର,
ତା’ପରେ ଅନାମ ଇନ୍ଦ୍ରମଣି ହୃଷୀ କାଇପଡ଼ା ଥରହର |
ଠେଲାପେଲା ପୁଣି ପ୍ରତିବାଦ କଲେ-ଥିଲେ ଯେତେ ଗ୍ରାମବାସୀ,
ମାୟାଧର ବେକ ସନ୍ଧିରେ ପୁଲିସ ବୋୟୋନେଟ ଦେଲା ଭୂଷି |
ଭୁଲି ନିଜକଥା ମାତିଲେ ଜନତା ଫୁଟିଲା ବନ୍ଧୁକ ଗୁଳି,
ଛଅଜଣ ବୀର ଗୁଳିଚୋଟ ଖାଇ ଭୂଇଁରେ ପଡ଼ିଲେ ଢଳି |
ସହିଦ ହୋଇଲେ ମାୟାଧାର ଭୂୟାଁ, ହାଡ଼ିବନ୍ଧୁ ପଣ୍ଡା ଭାଇ,
ସାନନ୍ଦ ସ୍ଵାଇଁ ଓ ସାଉଣ୍ଟି ମଳିକ ରହିଲେ ଅମର ହୋଇ |
000
