କାହାଣୀର ତରକାରୀ
କାହାଣୀର ତରକାରୀ
ହିନ୍ଦୀ - ରାକେଶ ତିୱାରୀ।
ଶୁଣ ଏକ କଥା ଅଛି ଗୋପନରେ
କାହାକୁ କହିବେନି
କାହାଣୀ ଖୋଜିଲେ ମିଳେନି
ଆଉ ନ ମିଳିଲେ କାନ୍ଦିବନି
ଇଏ ରହେ ସେଇ ଗୁପ୍ତ ଜାଗାରେ
ଯେଉଁଠି ଯାଉ ଯାଉ ତୁମକୁ ରହିବାକୁ ପଡ଼ିବ
କାହାଣୀ ପାଇଁ ଘରୁ ବାହାରିବାକୁ ପଡ଼ିବ
ଭିଡ଼ ଭିତରକୁ ଯିବ ଲୋକଙ୍କ ହାଲ ପଚାରିବ
ଆଉ କିଛି କହିବନି ଖାଲି ଶୁଣିବ
ଚାହା ପିଉଥିବା ଲୋକର ଖଟି ମାଗିବ
ଏକ ତରଫା ପ୍ରେମିକର ଅପେକ୍ଷା ଆଣିବ
ଚାକିରି ପାଇଁ ଯାଉଥିବା ଲୋକର ଭାବ ମାଗିବ
ଦିନରେ କଠିନ ପରିଶ୍ରମ କରୁଥିବା ଲୋକର ଦୁଃଖ ମାଗିବ
ପୋଷାକ ପିନ୍ଧି ବିବାହ ଆଙ୍ଗୁଠି ଟେବୁଲରେ ରଖି
ଯାଉଥିବା ସେ ସିପାହୀର ଆଶା ମାଗିବ
ଆଉ ଡେରି ରାତି ଯାଏ ଅଟୋ ଚଳାଇ
ଟଙ୍କା ସଞ୍ଚୁ ଥିବା ଲୋକର ଜିଦ୍ ଆଣିବ
ଏଇ ସବୁ ଜିନିଷ ଯେଉଁଠି ମିଳିବ
ଯେତେ ଟଙ୍କା ହେଲେ ବି କିଣି ନେବ
ତାପରେ ବାହାରି ଯିବ ଗାଆଁର ସେ ନିଛାଟିଆ ଜାଗାକୁ
କିମ୍ବା ଘର ପଛର ସେ ଶୁନଶାନ୍ ଜାଗାକୁ
କିଛି ନିଜ ଭିତରୁ ବି ବାହାର କରିବ ଭାବରେ
ସବୁକୁ ମିଶେଇ ଦବ କାଗଜ କଢ଼େଇରେ
ଦୁନିଆକୁ ବୈରାଗ୍ୟ ହେଲା ଭଳି ଭାବ ଜଗାଅ
ପଥର ହେଇ ଥିବା ହୃଦୟକୁ ଘଷି ଘଷି ନିଆଁ ଲଗାଅ
ତାପରେ କଢେଇକୁ ରଖି ଦବ ଭାବନାର ଚୁଲିରେ
ଆଉ ଲୁଣ ଦେବ ପ୍ରେମର କିନ୍ତୁ ସ୍ଵାଦ ଅନୁସାରେ
ତାପରେ ନିଜ ହାତରେ ମନର ଚଟୁରେ ଘାଣ୍ଟି ଚାଲ
ଆଉ ସମ୍ପର୍କର ରଙ୍ଗ ନ ଆସିବା ପର୍ଯ୍ୟନ୍ତ ରାନ୍ଧି ଚାଲ
କିଛି ଢଗ ଲୋକ କଥାର ମସଲା ମିଶେଇ ଦେବ
ଆଉ ଯେବେ ଆଖି ଠାରୁ ବେଶୀ ହୃଦୟ କାନ୍ଦିବ ଉଠାଇନେବ
କିନ୍ତୁ ଧ୍ୟାନ ରଖ ସେ ପ୍ରଥମ ତରକାରୀ ତୁମେ ଚାଖିବନି
କାହାଣୀର ରୋଷେଇରୁ ଯାହା ବାହାରିବ ଏକା ଖାଇବନି
ପାଠକ ବିଷୟରେ ଭାବିବ
ଆଉ ପାଠକ ଦେଖିଲେ ପରଷି ଦେବ
ତାପରେ ଶେଷରେ ହଜମ ପାଇଁ କିଛି ଜିନିଷ ଦେବ
ଶେଷରେ ଗୋଟେ ନୂଆ ଶିକ୍ଷା ଦେବ
ସେଇ କାହାଣୀ ସଫଳ ହେବ
ତାପରେ ସବୁ ଚିନ୍ତା ଦୂର ହେବ
ଅଧୁରା କାହାଣୀ ପୁରା ହେବ
ସେଇ କାହାଣୀ ମନେ ରହିବ
ଯିଏ ସ୍ୱାର୍ଥ ଧର୍ମ ଜାତିରୁ ଦୂରରେ ଥିବ
ଏଇ କାହାଣୀ ଗିର୍ଜାର ଏକାନ୍ତ
ମସଜିଦର ଆଜାନ୍
ମନ୍ଦିରର ଘଣ୍ଟି ଭଳି ଲାଗେ
ତରକାରୀ ଖାଇଲେ ହିଁ ଜାଣିବେ
ମୁଁ କେମିତି କହିବି କାହାଣୀ କେମିତି ଲାଗେ।
ସ୍ଵାଦ କେମିତି ଲାଗିଲା କହିବାକୁ ଭୁଲିବେନି