STORYMIRROR

Kulamani Sahu

Inspirational Children

4  

Kulamani Sahu

Inspirational Children

କାଗଜ

କାଗଜ

1 min
188

କାଗଜ ହେ! ତମେ ଅଛ ବୋଲି ସିନା

ଲେଖନୀ ଆମର କଥା କହେ

ଯୁଗ ଯୁଗ ଧରି ମଣିଷର କଥା

ଇତିହାସ ହୋଇ ବଞ୍ଚିରହେ। (ଘୋଷା)

        

ବାଉଁଶ ମଣ୍ଡ ଓ ସବାଇ ଘାସରୁ

ଯେବେଠୁ ତୁମର ଜନ୍ମ ହେଲା

ପଥରେ ପତରେ ଗଛର ବକ୍କଳେ

ଲେଖିବା ମଣିଷ ଭୁଲିଗଲା।

ଦୟାରୁ ତୁମରି ସିଡ଼ି ପରେ ସିଡ଼ି -୨ଥର

ଚତୁର ମଣିଷ ଚଢ଼ିଯାଏ।

କାଗଜ ହେ ତମେ.....(୧)

        

ତମ ନାଁ କହିଲେ କିଏ ବୁଝେ ଚିଠି

କିଏ ବୁଝେ ପୁଣି ନଥିପତ୍ର

କିଏ ଅବା ବୁଝେ ସମ୍ବାଦପତ୍ରକୁ

କିଏ ପୁଣି ବୁଝେ ଦରଖାସ୍ତ।

ତୁମଠୁ କେ ବଡ଼ ଅସ୍ତ୍ର ଅଛି କୁହ -୨ଥର

ନିରୀହକୁ ଯିଏ ନ୍ୟାୟ ଦିଏ। 

କାଗଜ ହେ ତମେ....(୨)

        

ଏଇ ହାତେ ଗଢ଼ି କେତେ ଯେ ଡଙ୍ଗା

ଭସାଇଛି ମୋର ପିଲାବେଳେ

ଭାସିଗଲା ବେଳେ ତୁମେ ଓଳି ତଳେ

ଗୀତ ଗାଇଛି ମୁଁ ସାଙ୍ଗ ମେଳେ।

ଆଜି ଯେତେବେଳେ ସେଇ କଥା ଭାଳେ -୨ଥର

ପୁଲକରେ ମନ ଭରିଯାଏ। 

କାଗଜ ହେ ତମେ....(୩)


ତୁମକୁ ଭାଙ୍ଗି ମୁଁ ଗଢ଼ିଛି ରକେଟ୍

ଗଢ଼ିଛି କଲମ କାଳିଘଡ଼ି

କାଗଜର ଚକ୍ରୀ କାଗଜର ଫୁଲ

କାଗଜରେ ବାନା ଧାଡ଼ି ଧାଡ଼ି।

କୁଢ଼ କୁଢ଼ ଖାତା ବହି ବସ୍ତା ବସ୍ତା -୨ଥର

ଆଜି ବି ଆଖିରେ ନାଚିଯାଏ। 

କାଗଜ ହେ ତମେ....(୪)


ପ୍ରଣୟର ଗାଥା ବିରହର ବ୍ୟଥା

ସନ୍ତାନପ୍ରାପ୍ତିର ସୁସମ୍ବାଦ

ତମେ ହିଁ ବହିଛ ତମରି ଛାତିରେ

କେତେ ବାଦ କେତେ ବିସମ୍ବାଦ।

ମୋବାଇଲ୍ କାଳେ ମେସେଜ୍ ଭିତରେ -୨ଥର

ଚିଠିର ମିଠା କି ବାରି ହୁଏ? 

କାଗଜ ହେ ତମେ….(୫)


ଆଜି ଯାଏଁ ମୁଁ ତୁମରି ଉପରେ

କେତେ ଯେ ଲେଖିଛି ମନେ ନାହିଁ

ତୁମରି ଉପରେ କେବେ ଲେଖିନାହିଁ

ଆଜି ମୁଁ ଲେଖୁଛି ତୁମ ପାଇଁ।

ତୁମକୁ ଯେ ନଷ୍ଟ କରଇ ପାପିଷ୍ଠ -୨ଥର

ବୃକ୍ଷହତ୍ୟା ଦୋଷେ ଭାଗୀ ହୁଏ।

କାଗଜ ହେ ତମେ...(୬) 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational