ଜୟ ମା' ବିରଜା
ଜୟ ମା' ବିରଜା
ଜୟ ମା' ବିରଜା ତିନି ପୁରେ ପୂଜା
ଧ୍ୱଜା ଉଡ଼େ ଯାଜପୁରେ l
ତୋହର ପ୍ରସାଦୁ ଯଯାତି କେଶରୀ
ରାଜା ହେଲେ ଉତ୍କଳରେ ll
ମହାଭାରତ ଓ କେତେ କେତେ ଶାସ୍ତ୍ରେ
ତୋର ମହିମା ବର୍ଣ୍ଣିତ l
ମହିଷା ଲାଙ୍ଗୁଳ ଏକ ହସ୍ତେ ଧରୁ
ଦ୍ୱିତୀୟ ତୋ ଶୂଳ ହସ୍ତ ll
ବ୍ରହ୍ମା ଆରମ୍ଭିଲେ ଏକ ପୁଣ୍ୟ ଯଜ୍ଞ
ଉତ୍କଳ ଜାହ୍ନବୀ ତୀରେ l
ସେ ଯଜ୍ଞ ଉତ୍ଥିତା ମାତା ଜଗନ୍ମାତା
ବାସ ବିରଜା ତୀର୍ଥରେ ll
ଶ୍ରୀଯଜ୍ଞ ବରାହ ସ୍ୱୟଂ ସାକ୍ଷୀ ଛନ୍ତି
ପୂଣ୍ୟ ଦଶାଶିନି ଘାଟେ l
ସପତ ମାତୃକା ବିଜେଛନ୍ତି ପୁଣି
ବୈତରଣୀ ଆର ପଟେ ll
ଦଶ ଅଶ୍ୱମେଧ ସମ୍ପାଦିଲେ ପୁଣି
ରାଜା ଯଯାତି କେଶରୀ l
କାନ୍ୟକୁବ୍ଜ ଠାରୁ ଦଶ ସସ୍ର ବିପ୍ର
ସୁଖେ ଆଣି ଥିଲେ ବରି ll
ସେ ସ୍ମୃତିକୁ ବହି ଏବେ ରାଜୁଥାଇ
ଦଶାଶ୍ୱମେଧର ଘାଟ l
ଯଜ୍ଞ ଯୋଗୁଁ
ସିନା ଯାଗପୁରୁ ନାମ
ଯାଜପୁର ହେଲା ଖ୍ୟାତ ll
ତୋ ପିଠରେ ବିଜେ ପୁଣ୍ୟ ନାଭିଗୟା
କ୍ଷେତ୍ର ପରମ ପାବନ l
ପିତର ପୁରୁଷ ମୋକ୍ଷ ଲଭିଥାନ୍ତି
ପାଇ ତହିଁ ପିଣ୍ଡ ଦାନ ll
ବରାହ ବିରଜା ବିପ୍ର ବୈତରଣୀ
ବେଦ ଯୋଗୁଁ ଅଟେ ପୁଣି l
ପଞ୍ଚ ବ' କାର ଏ କ୍ଷେତ୍ରବର ଖ୍ୟାତ
ବଖାଣି ଅଛନ୍ତି ଜ୍ଞାନୀ ll
ଗଦା କ୍ଷେତ୍ର ବୋଲି ପ୍ରସିଦ୍ଧ ଜଗତେ
ଦୁଆରେ କଂସା କବାଟ l
ଭୈରବୀ ଭୈରବ ରଡ଼ି ଡାକ ଦେବେ
କଳିଯୁଗ ହେଲେ ଅନ୍ତଃ ll
ଜଗତେ ପ୍ରସିଦ୍ଧ ପୁଣ୍ୟ ଶକ୍ତି ପୀଠ
ଏକାବନ ମଧ୍ୟେ ସ୍ଥାନ l
ଦ୍ୱି ଭୁଜା ମୂରତି ବିରଳ ଜଗତେ
ମାଆ ମୋର ମହୀୟାନ ll
ଜୟ ମା' ବିରଜା ତୋତେ କରେ ପୂଜା
ଜୟ ମା' ମଙ୍ଗଳମୟୀ l
ହୃଦୟ ମୋହର ପୂଜା ବେଦୀ ହେଉ
ତଵ ନିରାଜନା ପାଇଁ ll