ଧନ୍ୟ ଧନ୍ୟ ତୀର୍ଥ ତୁହି ଚନ୍ଦ୍ରଭାଗା
ଧନ୍ୟ ଧନ୍ୟ ତୀର୍ଥ ତୁହି ଚନ୍ଦ୍ରଭାଗା


ଧନ୍ୟ ଧନ୍ୟ ତୀର୍ଥ ତୁହି ଚନ୍ଦ୍ରଭାଗା l
ଯାଇ ପାରିଲିନି ଏଡ଼େ ମୁଁ ଅଭାଗା ll
ଭାଗ୍ୟଥିଲେ ଥାଇ ମହୋଦଧିସ୍ନାନ l
ପ୍ରାତଃକାଳେ ପୁଣି ସବିତା ଦର୍ଶନ ll
ଉଇଁ ଆସୁ ଥିବେ ମହୋଦଧି ଚିରି l
ପ୍ରଭାତୀ ବିନ୍ଦିକା ପ୍ରଦୋଷ ସୁନ୍ଦରୀ ll
ରାବୁ ଥିବେ କାକ, କୁମ୍ଭାଟ, କରଟ l
ଭକ୍ତଗଣ ସ୍ନାନ ହୋଇ ସମବେତ ll
ସଙ୍ଗେ ମିଳି ପୁଣ୍ୟ ଅମୃତ ସ୍ନାହାନ l
ଆହା ନାହିଁ ମୁହିଁ ଅତି ଭାଗ୍ୟହୀନ ll
ଶୁଣିଅଛି ଯାହା ବର୍ଣ୍ଣିତ ପୁରାଣେ l
ଅଭିଶାପେ କୃଷ୍ଣ ପୁତ୍ର ଶାମ୍ୱ ଦିନେ ll
ସୂର୍ଯ୍ୟଙ୍କୁ ପୂଜିଲେ ଆସି ଏହି ତୀର୍ଥ l
ତହୁଁ ହେଲେ କୁଷ
୍ଠ ବ୍ୟାଧିରୁ ମୁକତ ll
ସାକ୍ଷୀ ରହିଛନ୍ତି ଦେବ ଦେବ ଅର୍କ l
ସିନ୍ଧୁକୂଳେ ଉଭା ସୁନ୍ଦର କୋଣାର୍କ ll
ସାକ୍ଷୀ ଛନ୍ତି ପୁଣି, ମାଆ ରାମଚଣ୍ଡୀ l
କଳା ପାହାଡ଼କୁ ଦେଇଥିଲେ ଭଣ୍ଡି ll
ଶୁଣିଛି ମୁଁ କର୍ଣ୍ଣେ ସାତ ଥର ଗଙ୍ଗା l
ଥରେମାତ୍ର ସ୍ନାନ ତୀର୍ଥ ଚନ୍ଦ୍ରଭାଗା ll
ଧନ୍ୟ ପୁଣ୍ୟ ତୀର୍ଥ ଚନ୍ଦ୍ରଭାଗା ତୁହି l
ଧନ୍ୟକଲୁ ଏ ଉତ୍କଳ ପୁଣ୍ୟ ଭୂଇଁ ll
ଯହିଁ ମିଳିଛନ୍ତି ପୂଣ୍ୟତୋୟା ପ୍ରାଚୀ l
ନମଃ ନମଃ ଦେବ ଭାସ୍କର ବିରଞ୍ଚି ll
ମାଘ ସପ୍ତମୀ ଏ ପୂଣ୍ୟମୟୀ ସ୍ନାନ l
ନମୋ ନମଃ ପ୍ରଭୁ ଦେବ ବିବସ୍ୱାନ ll