ଜନମ ଲଭିବେ ଶ୍ରୀରାଧା
ଜନମ ଲଭିବେ ଶ୍ରୀରାଧା


ଭାଦ୍ରବ ମାସର ଶୁକ୍ଳ ଅଷ୍ଟମୀ ରେ
ବର୍ଷାନାରେ ହଇଚଇ
ଶ୍ରୀରାଧା ସୁନ୍ଦରୀ ପ୍ରେମ ପୂଜାରାଣୀ
ସ୍ଵନକ୍ଷତ୍ର ପରା ଏଇ ।
ବୃଷଭାନୁଙ୍କର ତପସ୍ୟାର ଫଳ
ମା' କୀର୍ତ୍ତିଦା ଭାଗ୍ୟବତୀ
ତାଙ୍କ କୋଳେ ଜନ୍ମି ରାଧା ଠାକୁରାଣୀ
ବାଣ୍ଟିଲେ ପ୍ରେମର ମୋତି ।
ଅପରୂପ କାନ୍ତି ଦିବ୍ୟ ଆଭା ନେଇ
ଜନ୍ମିବେ କୀର୍ତ୍ତିଦା ସୂତା
କୃଷ୍ଣ ବିଳାସିନୀ ଏକାଙ୍ଗୀ ସ୍ଵରୂପା
ତତ୍ତ୍ଵମୟୀ ଯେ ରାଧିକା ।
ଜନମ ଲଭିବେ ପ୍ରୀତି ପୂଜାରାଣୀ
ଅମୀୟ ହାସ୍ୟ ବଦନୀ
ବୃନ୍ଦାବନେ ପରା ଆନନ୍ଦ ଲହରୀ
ଜନବିବେ ଅଷ୍ଟ ସଂଗୀ ।
ବୃନ୍ଦାବନ ପରା ଶ୍ରୀରାଧା ଶବ୍ଦରେ
ସଦା ଯେ ଉଛୁଳୁ ଥାଏ
କୃଷ୍ଣ ପ୍ରାପ୍ତି ପାଇଁ ଶ୍ରୀରାଧା ସ୍ମରଣ
ଏ କଥା ଯେ ଶାସ୍ତ୍ର କୁହେ ।
ତତ୍ତ୍ଵମୟ ପରା ଗୋପ ବୃନ୍ଦାବନ
ରାଧାକୃଷ୍ଣ ତତ୍ତ୍ଵେ ଭରା
ଜୀବନ ସନ୍ଦେଶ ବହନ କରିଛି
ବରଷେ ଶାଶ୍ଵତ ଧାରା ।
ଜନମ ଲଭିବେ ରାଧା ଅଭିମାନୀ
କୃଷ୍ଣ ତତ୍ତ୍ଵ ବାଣ୍ଟି ବାକୁ
ପ୍ରାରବ୍ଧ ବାରତା ଦେବେ ଜଗତକୁ
ଜୀବନ ସୁଧାରିବାକୁ ।
ଜନମ ଲଭିବେ ପ୍ରେମମୟୀ ରାଧା
ତତ୍ତ୍ଵମୟୀ ଜଗନ୍ମୟୀ
ଅଷ୍ଟ ସଖୀ ପୁଣି ଅଷ୍ଟ ତତ୍ତ୍ଵେ ଭରା
ଧନ୍ୟ ରାଧା ସ୍ନେହମୟୀ ।
ଶାଶ୍ଵତ ପ୍ରେମର ଉପଲବ୍ଧି ଦେବେ
କୃଷ୍ଣ ତତ୍ତ୍ଵ ବଖାଣିବେ
ଜୀବ ପରମ ର ସରଳୀ କରଣ
କରି ଯେ
ବୁଝାଇ ଦେବେ ।
ଜନମ ଲଭିବେ କୃଷ୍ଣ ଭାନୁ ଜେମା
କୃଷ୍ଣ ମୟ ସ୍ଵରୂପିଣୀ
ପ୍ରେମ ପରାକାଷ୍ଠା ଚେତାଇ ଦେବେ ଯେ
ହସିବ ଧରଣୀ ରାଣୀ ।
ଗୋପ ଗୋପାଙ୍ଗନା ତତ୍ତ୍ଵ ବଖାଣିବେ
ବଖାଣିବେ ସଖୀ ତତ୍ତ୍ଵ
ସମର୍ପଣ ଭାବ କେତେ ଯେ ମଧୁର
କହିବେ ଶ୍ରୀରାଧା ମାତ ।
ଗୋପ ବୃନ୍ଦାବନ ଲୀଳା ମାଧୁରୀକୁ
ଜଗତେ ପରଶି ଯିବେ
ଯମୁନାର ଗାଥା କଦମ୍ବ ବାରତା
ସ୍ମୃତି ମନ୍ଥନ କରିବେ ।
ଶ୍ରୀରାଧା ତତ୍ତ୍ଵ ଯେ ଦେହୁ ଦେହାତୀତ
ଏକ ଆତ୍ମା ରାଧାକୃଷ୍ଣ
ଭୋଗର ମହତ୍ତ୍ଵ ଏଠି ଅଟେ କ୍ଳୀଷ୍ଟ
ତ୍ୟାଗର ଚରମ ସ୍ପର୍ଶ ।
ରାଧାକୃଷ୍ଣ ନୁହେଁ ପୃଥକ ବୋଲି ଯେ
ଅନୁଭବ ଦେବେ ରାଧା
ଆତ୍ମା ପରମାତ୍ମା ତତ୍ତ୍ଵ ବଖାଣିବେ
ପ୍ରୀତିର ମୂର୍ତ୍ତି ଶ୍ରୀରାଧା ।
ଜଗତକୁ ଦେବେ ଜୀବନ୍ମୁଖୀ ବାର୍ତ୍ତା
ପ୍ରେମର ଅମୃତ ଧାରା
ପ୍ରେମ ପବିତ୍ରତା ବଖାଣିବେ ମାତା
ଜଗତ ହେବ ଜୁଆରା ।
ଶାଶ୍ଵତ ପ୍ରେମର ଯମୁନା କୂଳରେ
ପ୍ରେମ କଦମ୍ବ ଫୁଟିବ
ଜଗତ ହୋଇବ ପ୍ରେମ ଧର୍ମ ମୟ
ସ୍ଵାର୍ଥର ଗନ୍ଧ ନ ଥିବ ।
ଜନମ ଲଭିବେ କୃଷ୍ଣ ମୟୀ ରାଧା
ଧରା ଭାବମୟ ହେବ
ଜଗତ ଭାସିବ ଅମ୍ଳାନ ଧାରାରେ
କାୟ ମନ ଶୁଦ୍ଧ ହେବ ।
ପ୍ରେମ ଲିଭାଇବ ଶତ୍ରୁତାର ଭାବ
ସଦ୍ଭାବ ଜାଗି ଉଠିବ
ଶତ୍ରୁତା ହଟିବ ମିତ୍ରତା ଜାଗିବ
ଶାନ୍ତିର ଧାରା ଝରିବ ।