STORYMIRROR

Biswanath Nayak

Inspirational

4  

Biswanath Nayak

Inspirational

ଜୀବନ

ଜୀବନ

1 min
289


ମନ୍ଦ ମନ୍ଦ ବହେ ଜୀବନ ଲହରୀ

            ଭେଟିବାକୁ ସୁଧାସିନ୍ଧୁ। 

ଜୀବନର ନାମ ନୁହଁଇ ଯନ୍ତ୍ରଣା

            ସେ ଅଟେ ଅମୃତବିନ୍ଦୁ। 


ଯେତେ ନିକଟରୁ ଦେଖିଲେ ଜୀବନ

            ଦିଶେ ସେତେ ମଧୁମୟ। 

ପଳାୟନପନ୍ଥୀ ଚିହ୍ନେନା ଜୀବନ

             ଜୀବନର ନାମ ଜୟ। 


ଜୀବନଟି ଏକ ସୁନ୍ଦର ଗୋଲାପ

             ହାତ ଠାରି ଡାକୁଥାଏ। 

ବିପଦ-କଣ୍ଟାକୁ ଖାତିରି ନକଲେ

             ହାତରେ ସେ ଧରାଦିଏ। 


ଜୀବନଟା ପରା ଅଟେ ଏକ ଯୁଦ୍ଧ

              ଆମ୍ଭେ ସର୍ବେ ଅଭିମନ୍ୟୁ। 

ଲଢ଼ିବାକୁ ହେବ ସପ୍ତରଥୀ ସଙ୍ଗେ

              ଭୟ ଭ୍ରାନ୍ତି ତେଜି ମନୁ। 


ଜୀବନ ଜଳଧି ମଧ୍ୟେ ପହଁରିବା

               ଲହଡିକୁ କିବା ଡର ?

ଡରିଯିବା ଯଦି ହୋଇଯିବା ଶବ

               ଜୀବନ ଲାଗିବ ଭାର। 


ରତ୍ନଗର୍ଭା ଅଟେ ଏ ଜୀବନ ସିନ୍ଧୁ

                ମନ୍ଥିବାକୁ ତାକୁ ହେବ। 

ବିନା ମନ୍ଥନରେ ସୌଭାଗ୍ୟଲକ୍ଷ୍ମୀ କି

                ସହଜେ ପ୍ରାପ୍ତ ହୋଇବ ?


ରଜ୍ଜୁ ହେଉ ପଛେ ବାସୁକୀ ଉରଗ

                ଦଣ୍ଡ ହେଉ ମେରୁଗିରି। 

ସାଗର ମନ୍ଥିଲେ ଅମୃତ ମିଳିବ

                କେବେ ବି ଯିବାନି ଡରି। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational