ଜୀବନ ସଙ୍ଗୀତ
ଜୀବନ ସଙ୍ଗୀତ
ଏଇତ ଯାମିନୀ ନେଇଛି ମେଲାଣି
ପର୍ଦ୍ଦା ପଛେ ଲୁଚିଗଲା
ପ୍ରତ୍ୟୁଷ ହାତରେ ବନ୍ଦାପନା ଥାଳି
ସ୍ଵାଗତ ଗୀତ ଗାଇଲା।
କୋଳାହଳ ମୟ ହୃଦ ରେ ପୁଲକ
ବୁଣି ସ୍ବପ୍ନ ର କିରଣ
ନରମ ଗାଲିଚା ଲୁଚି ଯିବ ତାର
ଲିଭି ବ ପ୍ରତ୍ୟୁଷ ଚିହ୍ନ।
ଯିବା ଆସିବା ର କ୍ରୀଡ଼ା ରତ ଧରା
ଉଙ୍କି ମାରୁଚି ମଧ୍ୟାହ୍ନ
ବିଛାଇ ଦେବ ତା କର୍କଶ ଚାଦର
ଅଭିନୟ କିଛି କ୍ଷଣ।
ଆବାହନୀ ମନ୍ତ୍ରେ ଗୋଧୂଳି ସଞ୍ଜ ଟା
ଆଉ ମାତ୍ର କିଛି ବାକି
ଖରା ଛାଇ ଖେଳେ ନିର୍ଲିପ୍ତ ମଧ୍ୟାହ୍ନ
ବିଦାୟ ଦିଅ କହୁଚି।
ବିଚ୍ଛେଦ ର ଅନ୍ତେ ପୁରାତନ କାୟା
ନୂତନ ସ୍ଵାଗତ ହୁଏ
ଛାଇ ଲେଉଟିବା ବେଳ ଅପସରେ
ସନ୍ଧ୍ୟା ର ଆଗତ ପ୍ରାୟେ।
ଢାଙ୍କୁଚି ପଣତ ଯାମିନୀ ବଧୂ ଟି
ବିସ୍ତାରିତ କାୟା ତାର
ଗ୍ରାସିବ ଅନ୍ଧାର ସାରା କଳେବର
ଟାଣେ ପୂର୍ଣ୍ଣଚ୍ଛେଦ ଗାର।
ଅନ୍ଧକାର ଅନ୍ତେ ପୁନଶ୍ଚ ପାହାନ୍ତି
ଟେକି ଦେବ ତାର ମଥା
ମିଳନ ବିଚ୍ଛେଦ ଦୁଇ ଫର୍ଦ୍ଦ ତୀରେ
ଜୀବନ ପଡ଼ିଛି ବନ୍ଧା।