କବିତା - ଜୀବନ ସ୍ବତସ୍ଫୁର୍ତ୍ତ
ରଚନା - ପଞ୍ଚାନନ ଜେନା
ତାରିଖ -୧୦-୦୮-୨୦୨୫
ଆଖି ଖୋଲା ଥିବ
ଦିଶୁଥିବ ଅଳପ ସଳପ
ଦିଗବଳୟ ସୀମାରେଖା ମଞ୍ଜ
ଆଖି ବନ୍ଦ ଥିବ
ଦିଶୁଥିବ ଅସଂଖ୍ୟ ଅଗଣିତ
ଅସରନ୍ତି ଜୀବନ ପୁଞ୍ଜ
ଆଖି ଖୋଲିଲେ
ଖୋଜି ପାରିବ ଆଦି ଅନ୍ତର ଉତ୍ସ
ଆଖି ବନ୍ଦ ଥିଲେ
ଜାଣିବ ଆମେ ହିଁ ଆମର କେନ୍ଦ୍ର ବତ୍ସ !
ସୁପ୍ତରେ ଅକ୍ଷରେ ଘୁରୁଥାଉ
ନୀରବରେ କକ୍ଷରେ ବସିଥାଉ
ନିଶବ୍ଦ ଶବ୍ଦ ସମୁଦ୍ରରେ ପହଁରୁଥାଏ
ବୋଧହୁଏ
ନଶ୍ଚଳ ଶବ୍ଦ ବିନ୍ୟାସ ହିଁ ସୃଷ୍ଟି କରିପାରେ
ଓଁକାର ଧ୍ଵନିର ଶବ୍ଦନାଦ ବ୍ରହ୍ମନିନାଦ
ସବୁ ' ମୁଁ ' ମାନେ ସବୁବେଳେ ଧର୍ମ ସଙ୍କଟରେ
ସମାଜ କଣ କହିବ ?
ଲୋକେ କଣ ଭାବିବେ ?
ସାମାଜର ବଡ଼ ଦାଣ୍ଡରେ କଣ ଘଟିବ ?
ବଡ଼ ପଣ୍ଡାମାନେ କଣ ନିଷ୍କର୍ଷ ଦେବେ ?
ସବୁ " ମୁଁ " ମାନେ " ଆମେ " ପାଲଟିଗଲେ
ଧର୍ମ ସଙ୍କଟର ଖୋଳପା ବାହାର କରିଦେଲେ
ଆମେ ଅମୁକ କରିବା
ଆମେ ସମୁକ କରିବା
ଯିଏ ଯାହା ଭାବିବ ଭାବୁ , ଆମର ଢୁ
ଯିଏ ଯାହା କହିବ କହୁ , ତାଙ୍କର ଢୁ
ଜୀବନ ଯଦି ପାଷାଣ ହେବ
ନୀରବିଯିବ ମହମହ ମହାର୍ଘ ମୁହୁର୍ତ୍ତ
ଜୀବନ ଯଦି କର୍ଷଣ ହେବ
ମାଧ୍ୟାକର୍ଷଣ ବଳ ଭଳି ଟାଣି ଆସିବ
ଫୁଟୁ ନ ଥିବା ଅବ୍ୟକ୍ତ ଚେତନା କଳିକା ସ୍ବତସ୍ଫୁର୍ତ୍ତ