ଜୀବନ ରଙ୍ଗମଞ୍ଚ
ଜୀବନ ରଙ୍ଗମଞ୍ଚ
ଏଇ ଜୀବନଟା ରଙ୍ଗମଞ୍ଚ ସିନା
ଖେଳାଏ ଉପର ବାଲା
ଆମେ ସିନା ଗର୍ବ ମିଛେ କରୁ ଥାଉ
ସବୁ କରେ ନନ୍ଦଲାଲା ।
ମୁହଁରେ ଦେହରେ ରଙ୍ଗ ବୋଳି ନେଇ
କହୁଛେ ଚିକ୍କଣ କଥା
ଆପଣା ସ୍ବାର୍ଥରେ ବାଧା ପଡିଗଲେ
ରଙ୍ଗ ବି ବାଢଇ ବ୍ୟଥା ।
ଏଇ ରଙ୍ଗ ବୋଳେ ସେନେହରେ ସାଥୀ
ମନରେ ରଖିବା ପାଇଁ
ଆମେ କି ମାପିଛେ ତା ମନ ତଳର
କେତେ କୋହ ଅଛି ସ୍ଥାୟୀ ।
ଆଖି କୋଣେ ତାର ନିତି ଉଇଁ ଆସେ
ନୂତନ ଆଶାର ରବି
ସେ କିରଣ ବୁଣି ଆଲୋକିତ କରେ
ରଙ୍ଗିନ୍ ଜୀବନ ଛବି ।
ଆସିଛି ଶ୍ରଦ୍ଧାର ହୋଲିର ପାର୍ବଣ
ଦେବା ପାଇଁ ସୁଖ ଶାନ୍ତି
ପରଖି ନେବାକୁ ସୁଯୋଗ ଦେଇଛି
ବନ୍ଧୁ ମନେ କେତେ ପ୍ରୀତି ।
ରାତି ପାହି ଯିବ ନାଟକ ସରିବ
ଖାଲି ପଡେ ରଙ୍ଗମଞ୍ଚ
ଆଉଟା ରଙ୍ଗରେ ଦେହ ଜଳିଗଲେ
ବୁଝା ଯାଏ ହୀରା କାଚ ।
