ଜୀବନ ପଥ
ଜୀବନ ପଥ
ଏଜୀବନ ପଥ ନୁହେଁ ରାଜପଥ
ଖାଲ ଢିପେ ସେତ ଭରା
ଅଙ୍କାବଙ୍କା ଏହି ଦୁରୁଗମ ପଥେ
କେବେ ଛାଇ କେବେ ଖରା ।
ଏନ୍ତୁଡିଶାଳରୁ ଆରମ୍ଭ ଏ ପଥ
ଜୁଇରେ ଯାହାର ଅନ୍ତ
କେବେ ଆସେ ଦୁଃଖ କେବେ ପୁଣି ସୁଖ
ଅଛିଣ୍ଡା ଅଙ୍କର ଗୀତ ।
ପାପ ପୂଣ୍ୟର ଦୋଛକି ପଡିଲେ
ମନ ହୁଏ ବାଟ ବଣା
ମାୟାର ମୋହରେ ଭୁଲ୍ ଠିକ୍ ଜମା
ସହଜେ ପଡେନି ଜଣା ।
ବିବେକ ଯେତେବି ବୁଝାଇଲେ ଏଠି
ମନ ପାଖେ ଯାଏ ହାରି
"ପରିଣତି" ଯେବେ ହୁଅଇ ବିଷମ
ପଛକୁ ହୁଏନି ଫେରି ।
ବୁଝି ବିଚାରି ଯେ ବାଟ ଚାଲୁଥାଏ
ନଥାଏ କାହାକୁ ଭୟ
ଆରମ୍ଭରେ ଲାଗେ ଚାଲିବାକୁ କଷ୍ଟ
" ଅନ୍ତ" ହୁଏ ମଧୁମୟ ।
ଫଳକୁ ତ ଜମା ଆଶା ନରଖି ଯେ
କର୍ମେ ରଖିଥାଏ ଲୟ
ଜୀବନ ପଥ ତା କୁସୁମିତ ହୁଏ
ସବୁଠାରେ ତାର ଜୟ ।
ସ୍ନେହ ଶ୍ରଦ୍ଧା ବୁଣି ଚାଲୁଥାଏ ଯିଏ
ଅରୀକୁ ପାରଇ ଜିଣି
ମଧୁର ବାଣୀରେ ଭଗାରୀ ମନକୁ
ସହଜେ ହୁଅଇ କିଣି ।
ପରକୁ ସାହାଯ୍ୟ ପର ଉପକାରେ
ମିଳଇ ଆପାର ଶାନ୍ତି
ଏ ଜୀବନ ପଥ ହୁଏ ଯେବେ ଅନ୍ତ
ବିଭୁ ପଦେ ମିଳେ ମୁକ୍ତି ।
