STORYMIRROR

Sukadev Mahanta

Inspirational

3  

Sukadev Mahanta

Inspirational

ଜୀବନ ଗଣିତ

ଜୀବନ ଗଣିତ

1 min
366

ଜୀବନଟା ଏକ    ସଫା କଳାପଟା

    କେତେ ଅଙ୍କ କଷା ହୁଏ

କେତେ ଯେ ମିଶାଣ  କେତେ ଯେ ଫେଡାଣ

   ତାହା ପରେ କଷା ହୁଏ ||


ସୁଖର ମିଶାଣ   ଦୁଃଖର ଫେଡାଣ

    ଅହରହ ଚାଲିଥାଏ

କେତେବେଳେ ଲେଖା  ସୁଖର କବିତା

  ବ୍ୟାକରଣ ଲେଖାଯାଏ ||


ଦୁଃଖର ନାଟକ   ଲେଖିବା କାଳରେ

   ସୁଖ ସାଥେ ସନ୍ଧି ହୁଏ

ସୁଖ ବ୍ୟାକରଣ   ଲେଖିବା ବେଳକୁ

  କାରକ ବିଭକ୍ତି ନିଏ ||


 ଉପନ୍ୟାସ ଲେଖା  ଦୁଃଖ ସୁଖ ମିଶା

   ବିଗ୍ରହ ବାକ୍ୟ ସମାସ

ଇତିହାସ ଠାରୁ   ଭୂଗୋଳର ଲେଖା

   ହୋଇଯାଏ ଇତିହାସ ||


ଦୁଃଖ ଇତିହାସ  ଲେଖିଲା ବେଳକୁ

   ସୁଖର ହରଣ ହୁଏ

ସୁଖ ମାନଚିତ୍ର  ଆଙ୍କିଲା ବେଳକୁ

   ସୁଖର ଗୁଣନ ହୁଏ ||


ସୁଖର କାହାଣୀ   ଲେଖିଲା ବେଳକୁ 

  ଦୁଃଖର ଜ୍ୟାମିତି ଆସେ

ଦୁଃଖର ଅଙ୍କନ  କରିବା ବେଳକୁ

  କେତେ ବକ୍ର ରେଖା ମିଶେ ||


ଦୁଃଖର ଘାତାଙ୍କ   ନିର୍ଣ୍ଣୟ କରନ୍ତେ

  ସୁଖ ଲଗାରିଦମ୍ ହୁଏ

ସୁଖର ଦ୍ୱିପଦ  ପରିପ୍ରକାଶରେ

  ସୁଖ ଦୁଃଖ ପଦ ରହେ ||


ସୁଖ ଦୁଃଖ ମିଶା   ଜୀବନ ନାଟକେ

   ଅନେକ ସମସ୍ୟା ଥାଏ

ପ୍ରତି ସମସ୍ୟାର  ସମାଧାନ ଲାଗି

  ଗାଣିତିକ ସୂତ୍ର ଥାଏ ||


କଳାପଟା ଦେହେ  ଜୀବନର ଚିତ୍ର

   ଆଙ୍କିବାର ସମୟରେ

କେତେ ବକ୍ର ରେଖା  ଏକତ୍ର ହୁଅନ୍ତି

   ଜୀବନର ଝରଣାରେ||


ଜୀବନର ପାଠ  ଜଟିଳ ହେଲେ ବି

    ଜୀବନ କଳାପଟାରେ

ସବୁର ରହିଛି   ସମାଧାନ ଏକ

   ନୂଆ ଗଣିତ ସୂତ୍ରରେ ||


ଦୁଃଖ ପାହାଡରୁ  ସୁଖ ନିର୍ଝରିଣୀ

    କୁଳୁ କୁଳୁ ବହୁଥାଏ


ବେଶି ଖରା ହେଲେ  ଶୁଖିଯାଏ ସିନା

  ଆଷାଢରେ ପୁଣି ବହେ ||


ଜୀବନ ଗଣିତ   ଜଟିଳ ହେଲେ ବି

   ସମାଧାନ ସୂତ୍ର ଥାଏ 

ନକଷିଲେ ଶୂନ  କଷି ଦେଲେ ଶହେ

    ସେ ଗଣିତ ପାଠ କହେ ||



Rate this content
Log in

Similar oriya poem from Inspirational