STORYMIRROR

Rajalaxmi Tripathy

Fantasy Others

3  

Rajalaxmi Tripathy

Fantasy Others

ଜୀବନ ବର୍ଷା

ଜୀବନ ବର୍ଷା

1 min
14.2K


ନିଦାଘ ଆତ୍ମାର ତୀବ୍ର ପ୍ରବେଗ

ପ୍ରଚେଷ୍ଟାର ସାଥେ ରହି

ମେଘ-ମହ୍ଲାର ଓହ୍ଲାଇ ଆସିଲା

ପ୍ରୀତି ପୂର୍ଣ୍ଣ ଧାରା ହୋଇ।

ଆକାଶ ପୃଥିବୀ ମହାମିଳନରେ

ବିଜୁଳିର ଉଦ୍ ଭାସେ

ପର୍ବତ ଶିଖରୁ ଶିଶୁ ହୃଦୟରେ

ନିର୍ମଳ ପରିପ୍ରକାଶେ।

ବର୍ଷା ନୁହେଁ ସେ ତ ବିଶ୍ଵ ପ୍ରାଣ ଧାରା

ପ୍ରକଟିଛି ପ୍ରେମ ବଶେ

ହୃଦୟେ ଧରିଛି ବିନମ୍ରତା ବାର୍ତ୍ତା

ଆତ୍ମଦାନ ଭାବାବେଶେ ।

ନିମ୍ନମୁଖୀ ଚିର ଗର୍ବ କରି ନାହିଁ

ହୃଦେଭରି କୃତଜ୍ଞତା

ଦିବ୍ୟ କରୁଣାର ଜଳଧାରା ପାଇ

ପଲ୍ଲବିତ ତରୁ ଲତା ।

ବର୍ଷା ପ୍ରାଣର କିଶୋରୀ ମନଟି

ଗଢ଼ି ଅଛି ଆଶା ସୌଧ

ନାଚି ନାଚି ଚାଲେ ବର୍ଷା ଟୋପାରେ

ବାଜଇ ଝୁମୁରୁ ବାଦ୍ୟ।

ଯୌବନ ଛୁଇଁଲେ ବୁଲୁଥାଏ ବର୍ଷା

ବିଲ ବାଡ଼ି ସହରରେ

ମାଳତୀ କଦମ୍ବ ବାସ୍ନାବାରି ବାରି

କୁଳ ଲଂଘି ମାଡ଼ି ଚାଲେ।

ବର୍ଷଣ-ମୁଖର ଯୌବନ ଯଦି

ନମାନଇ ବନ୍ଧବାଡ଼

ବାସନାର ତମ୍ବୁ ଛିଣ୍ଡି ଯାଏ କ୍ଷଣେ

ସୃଷ୍ଟି ହୁଏ ନାରଖାର।

ଜୀବନ-ବର୍ଷାର ବାତ୍ୟା ଆନ୍ଦୋଳିତ

ମେଘାବୃତ ଦିନ ଯେତେ

ପ୍ରେମ ନିର୍ଝରିଣୀ ଧୋଇ ନିଏ ସବୁ

ରହି ମାନବର ହିତେ।

ସମୟ ଚକ୍ରରେ ବର୍ଷା ଫେରିଯାଏ

ବିଦାୟୀ ବନ୍ଧୁ ପରି

ପ୍ରତିଶ୍ରୁତି ରଖି ଫେରି ଆସିବ ସେ

ଜୀବନ-ଚକ୍ର ଧରି।

।।।ରାଜଲକ୍ଷ୍ମୀ।।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy