ଜୀବନ ଆଉ ଯନ୍ତ୍ରଣା
ଜୀବନ ଆଉ ଯନ୍ତ୍ରଣା
ସମୟ ଚିହ୍ନାଏ ଏଠି କିଏ ସ୍ୱାର୍ଥପର,
ନିଜର ରକତ ଆଜି ହୁଏନା ନିଜର।
ମୋ ଭଙ୍ଗା ନାଆରେ ଆଜି ନିଃସ୍ୱ ମୁଁ ନାଉରି,
ଲୁହର ସାଗର ଆଉ ପାରୁନି ପହଁରି।
ମରିଗଲା ସବୁ ଆଶା, ସବୁ ଅଭିଳାଷ,
ତୁମରି ଉପରେ ପ୍ରଭୁ ସକଳ ବିଶ୍ୱାସ।
ଏତେ ବଡ଼ ଦୁନିଆରେ ପାଉନି ଆଶ୍ରୟ,
କାହିଁକି କରିଲ ପ୍ରଭୁ ମତେ ନିରାଶ୍ରୟ।
ମୁଣ୍ଡ ଗୁଞ୍ଜିବାକୁ ଖଣ୍ଡେ ନାହିଁ ମୋର ଘର,
ଅଜଣା ପଥିକଟିଏ ମୁଁ ପାନ୍ଥଶାଳାର।
ମଧ୍ୟାହ୍ନ ରେ ନିଜ ଛାଇ ନିଜର ହୁଏନା,
ଆଖିର ଲୁହକୁ ଏଠି ଆଖି ବି ବୁଝେନା।
ଜୀବନ ମରୁରେ ଆଜି ମୁଁ କ୍ରାନ୍ତ ପଥିକ,
ଦୟାର ସାଗର ପ୍ରଭୁ ସାଜ ମୋ ରକ୍ଷକ।