STORYMIRROR

Kabiratna Nutan Kumar Behera

Abstract Drama Classics

4  

Kabiratna Nutan Kumar Behera

Abstract Drama Classics

ଝରୁଛି ଯମୁନା ଝୁରେ ଗୋପପୁର

ଝରୁଛି ଯମୁନା ଝୁରେ ଗୋପପୁର

1 min
339


ଜନମି ଦେବକୀ କୋଳରେ କହ୍ନେଇ

ବଢ଼ିଲେ ଯଶୋଦା ମା' ନିକଟେ ଯାଇ ଯେ,

ଜୀବନ ସଙ୍ଖାଳି ସେ ତାଙ୍କର ହୋଇ

ଲୀଳା ରଚିଲେ ବାତ୍ସଲ୍ୟ ପ୍ରେମ ପାଇ ଯେ।


ନନ୍ଦର ନନ୍ଦନ ଗୋପପୁରେ ରହି

ସାଖାଗଣ ସାଥେ ଖେଳ କଲେ ସେହି ଯେ,

ନାଶିଲେ ପୁତୁନା କ୍ଷୀର ପାନ କରି 

ବକା ଶକଟା ଅସୁରକୁ ସେ ମାରି ଯେ।


ଷୋହଳ ସହସ୍ର ଗୋପୀଙ୍କ ସହିତ

ଭାବ ପୀରତିରେ କଲେ ମୋହିତ ଯେ,

ରାଧାରାଣୀର ହୋଇ ପରମ ମିତ

ଜଗତେ ବାଣ୍ଟିଲେ ପ୍ରେମର ଅମୃତ ଯେ।


କଳା କାହ୍ନୁ ସିଏ କୁହୁକ ଜାଣନ୍ତି 

ବଂଶୀ ବଜାଇ ମନ ଟାଣି ନିଅନ୍ତି ଯେ,

ଲବଣୀ ଚୋରାଇ ସଖାଗଣେ ଖା'ନ୍ତି

ଗୋଧନ ଚରାଇ କୌତୁକ କରନ୍ତି ଯେ।


ଯମୁନା ଘାଟରେ ଭାଙ୍ଗି ସେ କଳସୀ

ଗୋପୀଗଣଙ୍କୁ ମିଛେ କରନ୍ତି ଦୋଷୀ ଯେ,

ନଟ ନାଗର ରସିକ ହସି ହସି

ସାଖା ମେଳରେ ଥାଇ ହୁଅନ୍ତି ଖୁସି ଯେ।


ରାଧା ବାଟ ଚାହିଁ କଦମ୍ବ ମୂଳରେ

ରାଧା ନାମେ ବଂଶୀ ବଜାନ୍ତି ଅଧିରେ ଯେ,

ବାଜିଲେ ସେ ସ୍ବର ରାଧାଙ୍କ କାନରେ

ଆସନ୍ତି ଧାଇଁ ସେ କହ୍ନେଇ ପ୍ରେମରେ ଯେ।


ରାଧାକୃଷ୍ଣ ପ୍ରେମ ଜଗତେ ଅନନ୍ୟ

ସେ ପ୍ରେମୀ ଯୁଗଳଙ୍କ ଜୀବନ ଧନ୍ୟ ଯେ,

ପବିତ୍ର ପ୍ରେମ ତାଙ୍କର ନାହିଁ ଅନ୍ୟ

ତ୍ରିପୁରେ ସଭିଏଁ ଦେଇଥାନ୍ତି ମାନ୍ୟ ଯେ।


ରାଧାକୃଷ୍ଣ ବେନି କାୟା ଏକ ଆତ୍ମା

ଜୀବ ସାଥେ ମିଶିଥାନ୍ତି ପରମାତ୍ମା ଯେ,

ସାରା ସୃଷ୍ଟିର ଏ ପ୍ରକୃତି ସୁଷମା

ଦେବାକୁ ନାହିଁ ତ ତାହାର ଉପମା ଯେ।


ବୃନ୍ଦାବନେ ରାସ କରନ୍ତି ଯୁଗଳେ

ଭକତ ତନ୍ମୟ ହୁଅନ୍ତି ବିହ୍ଵଳେ ଯେ,

ଆଶିଷ ଦିଅନ୍ତି ସବୁରି ମଙ୍ଗଳେ

ଚିରନ୍ତନ ପ୍ରେମ ରହେ କାଳେ କାଳେ ଯେ।


ରାଧାକୃଷ୍ଣ ପ୍ରେମ ସଂସାରେ ଅମର

ପାର୍ଥିବ ବନ୍ଧନକୁ ରଖେ ମଧୁର ଯେ,

ଝରୁଛି ଯମୁନା ଝୁରେ ଗୋପପୁର

ଆଉ ଥରେ ଆସ ପ୍ରଭୁ ଚକ୍ରଧର ଯେ।


ରାଧାକୃଷ୍ଣ ବେନି ପାଦେ ପ୍ରଣିପାତ

କରୁଥାଏ ସଦା ସାରା ଏ ଜଗତ ଯେ,

କରୁଣା କରନ୍ତୁ ମଥା କରେ ନତ

ଶୁଣନ୍ତୁ ପତିତ ଜନଙ୍କ ଆରତ ଯେ।

   



Rate this content
Log in

Similar oriya poem from Abstract