ଜହ୍ନଠୁ ଜୋଛନା ଯେତିକି ଦୂର
ଜହ୍ନଠୁ ଜୋଛନା ଯେତିକି ଦୂର
କେମିତି ମୁଁ ବୁଝାଇବି ପ୍ରିୟା ଗୋ ତୁମକୁ
ତୁମେ ମୋର କେତେ ଆପଣାର
ଥାଏ ଦୂରେ ଅବା ପାଶେ ଅନୁଭବେ ହୃଦେ
ପ୍ରିୟା ତୁମେ ମୋ ଠାରୁ ନୁହେଁ ଗୋ ଅଭିନ୍ନ ।
ସୁମନ ସୁରଭି ତୁମେ ମନ ଉପବନେ
ଚଇତାଳି କୁହୁକୁହୁ ସ୍ୱନ
ମୋ ହୃଦୟ ମନ୍ଦିରରେ ଭକ୍ତି ସ୍ତୁତି ପୂଜା
ଶାନ୍ତି ତୁମେ ପ୍ରଫୁଲ୍ଲ କମଳ ।
ଉଜ୍ଜ୍ୱଳ ମୋ ମନାକାଶେ ତୁମେ ରଶ୍ମିରେଖା
ଜୀବନର ଶୁଭ୍ର ଧ୍ରୁବତାରା
ନିବାର ମୋ ଅବସାଦ ମୃତ୍ୟୁ କ୍ଳାନ୍ତି
ସୁଖପ୍ରଦା ଆଶାର ପସରା ।
ତୁମ ବିନା ଲାଗେ ନାହିଁ ଭଲ ଏ ସ°ସାର
ଏ ଶରୀର ଜଡ଼ ପ୍ରାଣହୀନ
ଦେହ ସିନା ଅଟେ ଭିନ୍ନ ଏକମନ ଏକପ୍ରାଣ
ତୁମେ ଜ୍ୟୋତ୍ସ୍ନା ମୁଁ ଅଟେ ଜହ୍ନ ।
ଜହ୍ନଠୁ ଜୋଛନା କେତେ ଦୂର ଅବା ପାଖ
ପରିମାପ ଅଟେ ଅକଳନ
କରି ନାହିଁ କ୍ଷୁଦ୍ରବୁଦ୍ଧି ଅଟକଳ ପ୍ରିୟା
ପୂର୍ଣ୍ଣ ତୁମେ ଅଭେଦ ଅନନ୍ୟ ।