STORYMIRROR

Chittaranjan Parida

Inspirational Others

3  

Chittaranjan Parida

Inspirational Others

ଝିଅ ଜରିଗୋଟାଳି

ଝିଅ ଜରିଗୋଟାଳି

1 min
193

ସାତସିଆ ଫ୍ରକ୍ ଲୁଚାଇ ପାରୁ ନଥିଲା

ତା'ର ପୂର୍ଣ୍ଣ ଅବୟବ

ନୁଖୁରା ଦେହକୁ ଅଲରା କେଶ 

ଢାଙ୍କିଥିଲା ଦୁଇ କାନ୍ଧ

ଦୁଇଟି ଚେମିଣିଆ ଆଖିରେ

ବାଲେଶ୍ଵର ଷ୍ଟେସନ ପାଖ ଅଳିଆ ଗଦାରୁ

ସାଉଁଟୁ ଥିଲା ଜରିଗୁଡିକୁ

ବୋଧହୁଏ ବୟସ ପାଞ୍ଚ କି ଛଅ ।

ନିଷ୍ପାପ ଶିଶୁଟି ଜାଣି ନଥିବ

ତା' ହୃତ ଅତୀତକୁ

ନା ଭାବୁଥିବ ଅନାଗତ ଭବିଷ୍ୟତକୁ

କେବଳ ଆଖିରେ ବର୍ତ୍ତମାନର ସ୍ୱପ୍ନ

ଜରି ଗୋଟେଇ

ଜୀବନ ଜିଇଁବାର ମୋହ ।

ଜାତି ଜାତିକା ରଙ୍ଗ ବେରଙ୍ଗ

ପୋଷାକ ପିନ୍ଧା ସ୍କୁଲ ପିଲାଙ୍କୁ ଦେଖି

ସେ ଭାବୁଥିବ ତାଙ୍କ ପରି ହେବାକୁ

ଗାଡ଼ି ମଟରରେ ବସି

ବାପା ମା ସହିତ ଯାଉଥିବା

ତା'ବୟସର ପିଲାଙ୍କୁ ଦେଖି

ସେ ବି ଆଶା କରୁଥିବ ମୁହଁ ଶୁଖେଇ ।

ବେକଟେକି ଦେଖୁଥିବ

ସହରର ଉଚ୍ଚ ଅଟ୍ଟାଳିକା

ତଉଲୁଥିବ ପଲିଥିନ ତଳର ଜୀବନକୁ

ରାସ୍ତାକଡର ଫୀଷ୍ଟଫୁଡ଼ର ବାସ୍ନାରେ

ପାଟି ଲାଳରେ ବତୁରି ଯାଉଥିବ

ଛେପ ଢୋକି ତଳକୁ ଅନାଇଁ

ଜରି ଖୋଜୁଥିବ ।

ସେ କେବେବି ଜାଣି ନଥିବ

ତା'ଅଭିଶପ୍ତ ଶୈଶବକୁ

ସତୀତ୍ୱକୁ ଜାହିର କରିବା ପାଇଁ

ହୁଏତ ବୁଦାମୂଳେ ଫିଙ୍ଗିଛି

ସ୍ୱାମୀ ,ଶାଶୁଶଶୁରର ନିର୍ଯାତନା

ସହି ନପାରି ମାଆ ତାକୁ ନେଇଆସିଛି

ସହରର ବସ୍ତି ଅଞ୍ଚଳକୁ

ବିସ୍ଥାପିତ ହୋଇ ଭିଟାମାଟି ଛାଡି

ପଳେଇ ଆସିଛନ୍ତି ବଞ୍ଚିବାକୁ ।

ପିଲା ହସିଲେ ଦୁନିଆ ହସିବ

ଆମେ ପଢିବା ଆମେ ବଢିବା

ଏ ସବୁ ତା'ପାଇଁ ମୂଲ୍ୟହୀନ

କାହିଁକି ସେ ପରା ସ୍କୁଲ ଯାଏନି

ସରକାରୀ ଯୋଜନା ତା'ପାଇଁ ନାହିଁ

କାରଣ ସେ ସ୍ଥାୟୀ ବାସିନ୍ଦା ନୁହେଁ

ଅନାଥ ଥଇଥାନ ,ବାଳ ବିକାଶ

ତା'ପାଇଁ ବହୁ ଦୂର

ଶାସକ ପ୍ରଶାସକ ସମାଜସେବୀ

ନିତି ତାକୁ କେହିଦେଖୁଛନ୍ତି

ହେଲେ, ଆଖି ଫେରେଇ

ଯେ ଯାହାର ରାସ୍ତା ଧରୁଛନ୍ତି ।

ବୋଧହୁଏ,ଏଭଳି ଦୃଶ୍ୟ

ଆମର ରକ୍ତଗତ

ଧାରାବାହିକ-ଚିରାଚରିତ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational