ଇତିହାସର ଇତିକଥା
ଇତିହାସର ଇତିକଥା
କାଠଯୋଡ଼ି ନଦୀ ପଠା
କାର୍ତ୍ତିକ ପୁର୍ଣ୍ଣମୀ ର ପାହାନ୍ତି ପ୍ରହର
ଅସୁମାରୀ ପ୍ରତୀକ ଡଙ୍ଗା ର
ମାଳ ମାଳ ପଟୁଆର
ଦୀପ ଆଉ ସଳିତାର ସାଥେ ,
ରୋମନ୍ଥନ କରିବାକୁ ବାଧ୍ୟ କରେ
ଅତୀତ ର ସେ ଵିଲୁପ୍ତ ଐତିହ୍ୟ
ସାଧବ ପୁଅର ଜାର୍ତ୍ତିକ ରେ
ଦୂର ଦେଶ ଯାତ୍ରା
ଗୃହ ସୀମନ୍ତିନୀ , ବଧୁ ଭଗ୍ନୀ
ଶୁଭ ମନାସି କୂଳଦେବୀ ପାଶେ
ବନ୍ଦାପନା କରି ମଥା ପାତେ ।
ବଢାଇବାକୁ ଉତ୍କଳ ର ଗର୍ବ ,ଗାରିମା
ଆମ ସଂସ୍କୃତି, ପରମ୍ପରା
ଖାଦ୍ୟ, ପୋଷାକ ର
ଦୂର ଦରିଆ ପାରେ
ଘୋଷଣା କରିବାକୁ ଜୟଯାତ୍ରା ,
ଶତ ଶତ ସାଧବ
ସାଗରର ନୀଳ ବୁକୁରେ
ପାତି ଥିଲେ ସାଇତା ଦରବେ ଭରା
ନିଜର ବୋଇତ
ସାଥେ ଧରି ଆତ୍ମୀୟ ସ୍ୱଜନ
କାର୍ତ୍ତିକ ରୁ ଆଷାଢ ଯାଏ
ଲେଖିବାକୁ ବାଣିଜ୍ୟ ର ଗାଥା ।
ଫେରୁଥଲେ ଧନରତ୍ନ ଧରିଣ
ସକୁଶଳେ ନିଜ ଗୃହ
ଏ ପ୍ରକ୍ରିୟା ଚାଲିଥିଲା ଅବିରତ
ପ୍ରତି ବର୍ଷ ସଫଳତା ବିଫଳତା
ପଛରେ ପକାଇ ,
ସାଧବ ଥିଲା ଅଙ୍ଗୀକାର ବଦ୍ଧ
ଫେରିବାକୁ ଦୁରଦେଶୁ
ବ୍ୟବସାୟ ବାଣିଜ୍ୟର
ଦାୟିତ୍ୱ କୁ ସୁଚାରୁ ରୁପେ ତୁଲାଇ ।
ବିଦାୟ ବେଳାର ସେ ମାଙ୍ଗଳିକ ବେଳା
ରଖିବାକୁ ସ୍ମୃତିପଟରେ ଜୀବନ୍ତ
ଆଜିର ଡଙ୍ଗା ଭସା ,
ମୁହୂର୍ତ୍ତଟିଏ ପାଇଁ ହେଉ ପଛେ
ସେଇ ବୀର ସାଧବ ପୁଅ
ସେଇ ବୀର ସାଧବ ପରିବାର
ଭାସି ଉଠନ୍ତି କଳ୍ପନା ରେ
ଏଇ ଉତ୍କଳ ପାଇଁ ସେମାନଙ୍କର ଅବଦାନ
ବର୍ଣ୍ଣିବାକୁ ମିଳେ ନାହିଁ ଭାଷା ।
