ଇଲିସି
ଇଲିସି
ବୁଢା ବୁଢୀ ଦୁହେଁ ଏକାଠି ରହନ୍ତି
ମଫସଲ ଗାଆଁ ଘରେ
ପୁଅ ବୋହୁ ତାଙ୍କ କରନ୍ତି ଚାକିରି
ସୁଦୂର ଆମେରିକାରେ ।
ଇଲିସି ମାଛଟେ ଆଣିଥିଲା ବୁଢା
ବୁଢୀ କରିଛି ରୋଷେଇ
ସମଭାବେ ବାଣ୍ଟି ଖାଇଲେ ଶାନ୍ତିରେ
ଖଣ୍ଡିଏ ମାଛ ବଳଇ ।
ବୁଢା କହେ କାଲି ଖାଇବି ସେ ଖଣ୍ଡ
ମୁଁ ଖାଇବି ବୁଢୀ କହେ
ବୁଝାମଣା ହେଲା ସେଇ ହିଁ ଖାଇବ
ବିଳମ୍ବେ ଉଠିବ ଯିଏ।
ମଧ୍ୟାହ୍ନ ହୋଇଲା ମାଛ ଲୋଭେ କେହି
ଉଠୁନାହିଁ ବିଛଣାରୁ
ଯେବେ ଗ୍ରାମବାସୀ ବାଡାନ୍ତି କବାଟେ
ନ ଆସେ ଶଦ୍ଦ ଭିତରୁ ।
ବାଧ୍ୟ ହୋଇ ଲୋକେ ଭାଙ୍ଗନ୍ତି ଦରଜା
ଶୋଇଛନ୍ତି ବୁଢ଼ା ବୁଢ଼ୀ
ମୃତାହତ ଭାବି ମଶାଣି ନେବାକୁ
ସଜାନ୍ତି ବସି ସଙ୍ଗାଡ଼ି ।
ଉଠାନ୍ତି ବୁଢାକୁ କହଇ ସେ ଧୀରେ
ବୁଢୀକୁ ଉଠାଅ ଆଗ
ବୁଢିକୁ ଟେକନ୍ତି ପାଟିକରି କହେ
ମାଛେ ନାହିଁ ବୁଢ଼ା ଭାଗ ।
ଗ୍ରାମବାସୀ ଆଗେ ଭିତିରି ରହସ୍ୟ
ବିସ୍ତୃତରେ କହେ ବୁଢୀ
ମାଛ ଖଣ୍ଡେ ପାଇଁ ଏତେ କଥା ସର୍ବେ
ହସିହସି ଗଲେ ଗଡ଼ି ।
