ଈଶ୍ୱରଙ୍କ ସନ୍ଧାନରେ
ଈଶ୍ୱରଙ୍କ ସନ୍ଧାନରେ
ମନ୍ଦିରରେ ଘଣ୍ଟ ମାରି ,
ଚର୍ଚ୍ଚରେ କ୍ୟାଣ୍ଡେଲ ଜାଳି,
ମସଜିଦରେ ଚାଦର ଚଢ଼େଇ
ଈଶ୍ୱରଙ୍କୁ ଖୋଜିବାରେ କି ପ୍ରୟୋଜନ !
କ'ଣ ଲୋଡ଼ା ଦେବତ୍ୱର !
ପୂଜା, ନୀତି, ମୋକ୍ଷ,ମୁକ୍ତି,
ସଂସ୍କାର ଓ ପାପପୂଣ୍ୟ ପ୍ରାପ୍ତି !
ମଣିଷ ମଣିଷଟେ ହେଉ
ନିଜ ଭିତରେ ଖୋଜୁ ମାନବତ୍ୱକୁ ।
ଈଶ୍ୱରଙ୍କ ସେବା ନୁହେଁ
କରୁ ଜଗତ କଲ୍ୟାଣ ।
ନିଜ ଭାଗ୍ୟ ନିଜେ ଗଢୁ
ହାତେ ଧରି କର୍ମର ନିହାଣ ।
ଈଶ୍ୱର ତ ଆପେ ଆସିଯିବେ
ଦୁଃଖୀରଙ୍କି ଗରିବ ବେଶରେ ।
ସର୍ବହୃଦେ ସ୍ଥିତ ତାଙ୍କ ସତ୍ତା
ଜୀବଜନ୍ତୁ , ବୃକ୍ଷଲତା
ସୂର୍ଯ୍ୟ, ଚନ୍ଦ୍ର, ନକ୍ଷତ୍ର ରୂପରେ ।
ଲୋଡ଼ା ନାହିଁ ଧୂପଦୀପ, ନୈବେଦ୍ୟ
ଓ ଅକ୍ଷତର ଥାଳି ,
ପ୍ରେମ, ଭକ୍ତି, ଶାନ୍ତି ପୂରୁ
ହିଂସା, କ୍ରୋଧ, ଅସୂୟାକୁ ଜାଳି ।
ଖାଲି ଯାହା ଆବଶ୍ୟକ
ରାଗ ଦ୍ୱେଷ ବଦଳରେ
ଦୁଇଘଡ଼ି ଶାନ୍ତିର ନିଶ୍ୱାସ
ରକ୍ତପାତ ବଦଳରେ
କେଇଦିନ ଅଧିକ ଜୀବନ ।
ଚାଲ ଖୋଜିବା ମାନବତ୍ୱକୁ
ଈଶ୍ୱରଙ୍କୁ ଖୋଜିବାରେ କି ପ୍ରୟୋଜନ !
