ଇଏ କି ଲୀଳା କରୁ କାଳିଆ?
ଇଏ କି ଲୀଳା କରୁ କାଳିଆ?
ଆଜି ଖବର ପଢ଼ିଲି ଯେବେ
ହେଲି ମୁଁ ଆଚମ୍ବିତ,
ଜ୍ଵରରୁ ସୁସ୍ଥ ହୋଇଗଲେଣି
ପ୍ରଭୁ ଶ୍ରୀ ଜଗନ୍ନାଥ।
ଏ କି ବିଚିତ୍ର କଥା କାଳିଆ
କହରେ ତୁହି ମୋତେ,
ଆମେ ଅସୁସ୍ଥ ଯେବେ ହେଉଛୁ
ଡାକୁଛୁ ପରା ତୋତେ।
ଆମେ ଜାଣିଛୁ ବଡ଼ ଠାକୁର
ବଡ଼ ଡାକ୍ତର ତୁହି,
ତୋପରେ ଆଉ କେ ବଡ଼ ଅଛି
ଦେବୁ କି ଥରେ କହି ?
ଆମର ଦୁଃଖ ବିପଦ ବେଳେ
ତୋ ଆଗେ ଦୀପ ଜାଳି,
ହରିନେ ଜଗା ଦୁଃଖ ଆମର
କରୁ ପ୍ରାର୍ଥନା ଅଳି।
ତୋ ଦେହ ଯଦି ହେଲା ଅସୁସ୍ଥ
କିଏ ସେ ଭଲ କଲା,
ତୋ ପାଇଁ କେଉଁ ଦେବତା ଆଗେ
କିଏ ଦୀପ ଜାଳିଲା ?
ଗୀତା ଶୁଣିଛି ବଇଦ ମଧ୍ୟେ
ଶ୍ରେଷ୍ଠ ତୁ ଧନନ୍ତ୍ଵରୀ,
ଦେବତା ମଧ୍ୟେ ତୁ ପୁଣି ଶ୍ରେଷ୍ଠ
ଠାକୁର ଚକ୍ରଧାରୀ।
ଏତେ ପରେ ବି ସାମାନ୍ୟ ଜ୍ଵର
ତୋତେ ପାରିଲା ଘାରି,
ଯେଉଁଥିପାଇଁ ଅଣସରରେ
ଶୋଇଲୁ ମୁହଁ ମାଡ଼ି।
ଫୁଲୁରି ତେଲ ମାଖି ହୋଇଲୁ
ଜଡି ମୋଦକ ଖାଇ,
ସୁସ୍ଥ ହୋଇଲୁ ବୋଲି ଆମକୁ
ଦେଲୁରେ ଜଗା କହି।
କାହିଁକି ଏତେ କାଢୁ ପେଖେନା
ଆମେ କି ଜାଣିନାହୁଁ,
ପକ୍କା ମିଛୁଆ ତୁ କପଟିଆ
ମାୟା ଦେଖାନା ଆଉ।
ମାଆକୁ କେତେ ମିଛ କହିଛ
ତୁମେ ତ ଦୁଇ ଭାଇ,
ଆଜି ଶ୍ରୀକ୍ଷେତ୍ରେ ଲୀଳା କରୁଛ
ଭଦରଲୋକ ହୋଇ।
ତ୍ରେତୟା ଯୁଗେ ଚରଣ ଛୁଇଁ
ପାଷାଣେ କଲୁ ନାରୀ,
ଆଜି ପାଷାଣ ହେଇ ବସିଛୁ
କିଛି ନଜାଣିଲା ପରି।
ସତରେ ମାନିବାକୁ ପଡ଼ିବ
ତୋ କାଟସାଦି ଯେତେ,
ଯେତେ ହୁନ୍ଦର କାଢୁଛୁ ଖାଲି
ବସିବୁ ବୋଲି ରଥେ।
ମାଉସୀ ମାଆ ଘର ଯିବାକୁ
ଗୋଡ଼ କଲୁଣି ଠିଆ,
ଯାହା କରୁଥା ଟିକିଏ ମାତ୍ର
ମୋତେ ଅନେଇଥା।
