ହସ ଫୁଲ
ହସ ଫୁଲ
ହସ_,
ଓଠର ବୃନ୍ତଟିରେ ଫୁଟିଥିବା
ଅଜବ ଫୁଲଟିଏ,
ମୁହୂର୍ତ୍ତକେ ଆସେ
କେବେ..
ମୁହୂର୍ତ୍ତକେ ଯାଏ,
ମୁହଁର ବଗିଚାଟିରେ-
ତା'ସ୍ଥିତିର ସ୍ବର୍ଗୀୟ
ମହକ ଖେଳାଏ।
ହସ_
ମନର ନିଭୃତ ଅଗଣାରେ
ଫିଟିପଡିଥିବା ମେଞ୍ଚାଏ
ସକାଳୁଆ ସୁନେଲି ଆଲୁଅର
ଅବାରିତ ଧାରାଟିଏ_
ଦୁଃଖର ଅନ୍ଧାର ସବୁ
ପୋଛିଦିଏ..,
ଚକ୍ଷୁ କୋଣୁ ଲୋତକ ଶୁଖାଇ,
ଚେତନାକୁ
ଜୀବନ୍ୟାସ ଦିଏ।
ହସ_
ଉଜାଣି ବହୁଥିବା
ଚିରସ୍ରୋତା ନଈଟିଏ,
ଆବେଗରେ
ଥଳକୂଳ ଲଙ୍ଘିଯାଏ_
ଶୁଷ୍କ ମନ ଧୋଇ ଦେଇ
ପ୍ରଶାନ୍ତିର ଗୀତ ଗାଏ,
ବଞ୍ଚିବାର
ପ୍ରେରଣା ଯୋଗାଏ।
