ହୃଦୟର ସ୍ୱର
ହୃଦୟର ସ୍ୱର
ତୁମପାଇଁ ସଖୀ ହୃଦୟର ସ୍ୱରେ
ଗାଉଥିଲି ଦିନେ ଗୀତ
ହସି ଉଠୁଥିଲା ସାଗର ସୌକତେ
କାକର ବିନ୍ଦୁରେ ଶୀତ I
ରଙ୍ଗ ବୋଳୁଥିଲା ତୁମ ଦେହେ ମୁହେଁ
ଫଗୁ ପୂନେଇଁର ଜହ୍ନ
ଆଖିରେ ଆଖିରେ ଛୁଇଁଦେଇ ମୋତେ
ମୋହିନେଉଥିଲ ମନ I
ତୁମରି ରୂପର ନିଆଁରେ ଲୋ ସଖୀ
ଥରୁଥିଲା ଶୀତରାତି
ତୁମରି ଦେହର ଖୋଲା ଅଗଣାରେ
ଆଖି ଢାଳୁଥିଲା ପ୍ରୀତି I
ଆଜି ତୁମପାଇଁ ଜୀବନ ଗାଉଛି
ମତୁଆଲା ମୃତ୍ୟୁଗୀତ
ଶାମୁକା ଗର୍ଭରୁ ମୋତି ଖୋଜି ଖୋଜି
ଆଖି ମୋର ଆଜି କ୍ଳାନ୍ତ I

