ହୃଦୟକୁ କିଆଁ ଗୋଇଠା ମାର
ହୃଦୟକୁ କିଆଁ ଗୋଇଠା ମାର
ପ୍ରତି ହୃଦୟରେ ବିରାଜିଅଛନ୍ତି
ପରମାତ୍ମା ରୂପେ ପରା ଈଶ୍ବର
ଅନ୍ତଃଚକ୍ଷୁ ମେଲି ଟିକେ ଅନାଇଲେ
ଦୁନିଆ ଲାଗିବ ନିଶ୍ଚେ ନିଜର ।
ସମ ଭାବେ ଯେଣୁ ଜୀଇଁବା ପାଇଁକି
ଅଧିକାର ଦେଇଛନ୍ତି ଈଶ୍ବର
ଈର୍ଷା ଅସୂୟାର ବଶରେ ଆନର
ହୃଦୟକୁ କିଆଁ ଗୋଇଠା ମାର ?
ସବୁରି ଭିତରେ ମନଟିଏ ଅଛି
ଅନୁଭବିବାକୁ ହୃଦୟଟିଏ
ସରାଗରେ ଟିକେ ଆଉଁସି ଆଣିଲେ
ମମତାର ଝର ଉଛୁଳିଥାଏ ।
କପଟୀ ପରିକା ଆଚରଣ କେବେ
ଛୁଇଁ ପାରେନାହିଁ କାହାର ହୃଦ
ରାଗ ଅହଂକାର ଦୁର୍ବଳ ସଜାଏ
କରିପାରେ ନାହିଁ କାହାକୁ ଭେଦ ।
ସ୍ରଷ୍ଟା ସହ ତାଙ୍କ ସୃଷ୍ଟିଟି ମହାନ
ହୃଦୟ ଚିହ୍ନିବା ପ୍ରଯତ୍ନ କର
ଦେଖିବ ସବୁଠୁ ଝରି ଆସୁଥିବ
ସତେ କି ପାବନୀ ଗଙ୍ଗୋତ୍ରୀ ଧାର ।
ଆଘାତରେ ପରା ଅଶେଷ ଯନ୍ତ୍ରଣା
ଯିଏ ଜୀବନରେ ପାଇଛି ଥରେ
କେବେ ସିଏ ମନ ବଳାଇବ ନାହିଁ
ଜାଳିବା ପାଇଁକି ଆନେ ସେଥିରେ ।