STORYMIRROR

Chinmaya Kumar Nayak

Abstract Fantasy

4  

Chinmaya Kumar Nayak

Abstract Fantasy

ହଳଦୀ ବସନ୍ତ ଫେରିଛି

ହଳଦୀ ବସନ୍ତ ଫେରିଛି

1 min
392

ଶୀତେ ଥରଥର ନହକା ଡାଳରେ

କଅଁଳ ସପନ ଉଇଁଛି,

ଫଗୁଣ ଆସିବା ସମୟ ହେଲାଣି

ହଳଦୀ ବସନ୍ତ ଫେରିଛି।


ସବୁଜିମା ଭରା ନବ ସମ୍ଭାବନା

ଦ୍ୱାର ଦେଶେ ଧୀରେ ଡାକୁଛି,

ସୁପ୍ତ ପ୍ରାଣ ଆଜି ଜାଗେ ଅନାୟାସେ

ଜୀବନେ ଉଲ୍ଲାସ ଆସିଛି।


ଆଳସ୍ୟର ଶତ ଶୃଙ୍ଖଳକୁ ଭାଙ୍ଗି

ବସନ୍ତ ଉତ୍ସବ ଆସିଛି,

ଚଞ୍ଚଳ ଆଜି ଦେହ ମନ ପ୍ରାଣ

ନଭ ଛୁଇଁ ଦେବ ଭାବୁଛି। 


ହିମ କାକରର ଶୁଭ୍ର ଗାଲିଚାରେ

ରଙ୍ଗର ମୁରୁଜ ପଡ଼ିଛି,

କିଏ ସତେ ଶୁନ୍ୟେ କି ମନ୍ତ୍ର ବଳରେ

ଫୁଲେ ଫୁଲେ ରଙ୍ଗ ଭରିଛି। 


ଆମ୍ବ ଗଛ ଡାଳେ ଶୁଭେ ହଇଚଇ

କୋଇଲି ହେଲାଣି ସଜ,

ବଉଳ ପେନ୍ଥାର ଝାଡ଼ ଲାଗିବାକୁ

ପତ୍ର ହୋନ୍ତି ସଜବାଜ। 


ଭିଡିମୋଡି ହୋଇ ମଳୟ ଆଳସ୍ୟ

ତେଜି ହେଲାଣି ପ୍ରସ୍ତୁତ,

ବିତରି ଦେବାକୁ ମଧୁଝରା ଗନ୍ଧ

ପିନ୍ଧିଲାଣି ପାଟ ବସ୍ତ୍ର। 


ପରିବର୍ତ୍ତନର ଋତୁଚକ୍ର ଆଗେ

କିଏ ବା ଅଟକି ପାରିଛି,

ଯିବାବେଳ ହେଲେ ଅଟକେନା କେହି

ଫେରିବାର ଯିଏ ଫେରୁଛି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract