ହଜିବା
ହଜିବା
କିଏ ହଜିଯାଏ ମେଳାରେ ହାଟରେ ଖୋଜିହୁଏ ନିଜଲୋକ,
କିଏ ହଜିଯାଏ ନିର୍ଜନ ପଥରେ ଦେଖି ସେ ବିରାଟ ଛକ |
କିଏ ହଜିଯାଏ ବଣ ଜଙ୍ଗଲରେ ଫେରିପାରେ ନାହିଁ ଆଉ,
କିଏ ହଜିଯାଏ ଅଜଣା ଜାଗାରେ ବହୁଲୋକ ଥାଉଥାଉ |
କିଏ ହଜିଯାଏ ଧନ ସଂପତ୍ତିରେ ଦିଶେନାହିଁ ଭଲବାଟ,
କିଏ ହଜିଯାଏ ପ୍ରେମ ନଦୀଜଳେ ପାଏନାହିଁ କୂଳ-ଘାଟ |
କିଏ ହଜିଯାଏ ଲେଖାରେ ପଢ଼ାରେ ନିଜକୁ ପାରେନା ଚିହ୍ନି,
କିଏ ହଜିଯାଏ ଭାବରେ ଭକ୍ତିରେ ଈଶ୍ୱରଙ୍କ ଗୁଣ ଗୁଣି |
କିଏ ହଜିଯାଏ ଖୋଜିବାରେ କିଛି ପାଗଳ ପରାଏ ହୋଇ,
କିଏ ହଜିଯାଏ ଜାଣି ଜାଣି ସିଏ ନିଜେ ଛଦ୍ମରୂପ ନେଇ |
କିଏ ହଜିଯାଏ ପ୍ରକୃତି ରୂପରେ ଅପରୂପ ଶୋଭା ଦେଖି,
କିଏ ହଜିଯାଏ ସବୁଦିନ ପାଇଁ ବୁଜିଦେଇ ଦୁଇଆଖି |
