STORYMIRROR

Mamatamanjari Das

Classics

5  

Mamatamanjari Das

Classics

ହେ କେଶବଃ…!!

ହେ କେଶବଃ…!!

2 mins
17

ହେ କେଶବ! 
ଆଜି ମୋ ଘର ଦୁଆରେ
ଆଜି କେହି ନାହିଁ, 
ହେଲେ ଘର ଭିତର ପୂରା ଗହଳି
ତୁମେ ଆସିଛ ବୋଲି
ଦେହଳୀ ବି ତୁଳସୀ ହୋଇଗଲା, 
ଆଉ କାନ୍ଥ ସବୁ ମୋର ମୁରଲୀ ହୋଇଗଲା,
ମୁଁ ଯେଉଁଆଡ଼େ ଚାହେଁ,
ସେଇଆଡ଼େ ତୁମ ମୁରଲୀର ଫୁଙ୍କାର ଛବି… 

ହେ କେଶବ…!! 
କାଲି ଶ୍ମଶାନରେ
ଗୋଟେ ମୃତଦେହ ଜଳୁଥିଲା ,
ଲୋକେ କାନ୍ଦୁଥିଲେ, ମୁଁ ହସୁଥିଲି 
ସମସ୍ତେ ପଚାରିଲେ,
“ପାଗଳ ହୋଇଗଲୁ କି?” 
ମୁଁ କହିଲି, “ନାହିଁ, ମୁଁ ତ ସତ ଦେଖିଲି 
ନିଆଁରେ ଦେହ ଜଳୁଛି,
ହେଲେ ଆତ୍ମା ତା’ ସାଙ୍ଗରେ
ବଂଶୀ ବଜାଇ ଉପରକୁ ଉଠୁଛି
ମୃତ୍ୟୁ କେବେଠୁ ଉତ୍ସବ ହୋଇଗଲା,
କାହ୍ନା ତୁମ ପାଇଁ !!” 

ହେ କେଶବ! 
ତୁମେ ମୋତେ ଦୀପ କରିଦେଲ,
ମୁଁ ଏବେ ଆକାଶ ହେବାକୁ ଚାହେଁ
ଯେଉଁ ଆକାଶରେ ତୁମ ପୀତାମ୍ବର ଉଡ଼େ, 
ଯେଉଁ ଆକାଶରେ ତୁମ ଗାଈ ଚରେ, 
ଯେଉଁ ଆକାଶରେ ତୁମ ଗୋପୀ ନାଚେ, 
ମୁଁ ସେଇ ଆକାଶ ହୋଇ ତୁମକୁ ଘୋଡ଼େଇ ରଖିବି, 
ଯେମିତି ତୁମେ ମୋତେ
ତୁମ ଛାତିରେ ଘୋଡ଼େଇ ରଖିଛ… 

ହେ କେଶବ…!! 
ଲୋକେ ପଚାରନ୍ତି,
“ଭଗବାନଙ୍କୁ କ’ଣ ମାଗୁ?” 
ମୁଁ କହେ, “ମୁଁ ତ କିଛି ମାଗେନି, 
ମୁଁ ଖାଲି ତାଙ୍କୁ ଦିଏ, 
ମୋ ନିଦ ଦିଏ,
ମୋ ଭୋକ ଦିଏ,
ମୋ କୋହ ଦିଏ ,
କାରଣ ଯାହା ମୋର,
ସେ ସବୁ ତାଙ୍କର। 
ଆଉ ଯାହା ତାଙ୍କର,
ସେଇଟା ହିଁ ମୋ ପାଇଁ ଯଥେଷ୍ଟ।” 

ହେ କେଶବ! 
ଏବେ ମୋର ଦୁଇଟା ହାତ ନାହିଁ, 
ମୋର ଲକ୍ଷ ଲକ୍ଷ ହାତ,
ଯେଉଁ ହାତ ଭୋକିଲାକୁ ଖୁଆଏ,
ସେଇଟା ମୋର, 
ଯେଉଁ ହାତ କାନ୍ଦୁଥିବା ପିଲାକୁ ଟେକେ,
ସେଇଟା ମୋର, 
କାରଣ ତୁମେ ମୋତେ ଶିଖେଇଦେଲ  
“ପ୍ରେମ କହିଲେ ହୁଏନି,
ପ୍ରେମ ହୋଇଯିବାକୁ ପଡେ
ଗୋଟିଏ ପୁଅକୁ ହରେଇଛୁ
କୋଟିଏ ପୁଅକୁ ଆପଣାର କରିନେ।” 

ହେ କେଶବ…!! 
ଶେଷଥର ପାଇଁ ନୁହେଁ,
ପ୍ରଥମ ଥର ପାଇଁ କହୁଛି , 
ତୁମେ ମୋ ଈଶ୍ୱର ନୁହଁ,
ତୁମେ ମୋ ସାଙ୍ଗ, 
ଈଶ୍ୱରଙ୍କୁ ଲୋକେ ଡରନ୍ତି, 
ହେଲେ ସାଙ୍ଗ ସହ ତ ଝଗଡ଼ା କରିହୁଏ, 
କାନ୍ଧରେ ମୁଣ୍ଡ ରଖିହୁଏ, 
ଆଉ ତା’ ଥାଳିରୁ ଲହୁଣୀ ଚୋରି କରିହୁଏ
ତେଣୁ ମୁଁ ତୁମକୁ ପୂଜା କରେନି କାହ୍ନା, 
ମୁଁ ତୁମ ସହ ଜୀଇଁବାକୁ ଚାହେଁ
ଏମିତି ଶେଷ ଜୀନ ଯାଏଁ… 

ହେ କେଶବ! 
ନିଅ, ଏଇ ମୋ ଶେଷ ନିଶ୍ୱାସ 
ଏଥିରେ କୌଣସି ମନ୍ତ୍ର ନାହିଁ, 
କେବଳ ଗୋଟେ ନାଁ  “କାହ୍ନା”। 
ଏଇ ନାଁରେ ମୁଁ ଜନ୍ମ ନେଲି, 
ଏଇ ନାଁରେ ମୁଁ ବଞ୍ଚିଲି, 
ଏଇ ନାଁରେ ହିଁ ମୁଁ ତୁମ ଭିତରେ ହଜିଯିବି…

ହେ କେଶବ… 
ଆଉ କିଛି କହିବାକୁ ନାହିଁ, 
କାରଣ କହିବା ସରିଗଲେ
ତୁମେ ଆରମ୍ଭ ହୋଇଯାଅ 
ତେଣୁ ମୁଁ ଚୁପ୍, 
ଆଉ ମୋ ଚୁପ୍ ଭିତରେ କେବଳ ତୁମ ବଂଶୀ… 
ବାଜୁଛି… ବାଜୁଛି… ବାଜୁଛି…



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics