STORYMIRROR

Mamatamanjari Das

Inspirational

5  

Mamatamanjari Das

Inspirational

ଜୀବନର ଆରପାରି କୁ ରାସ୍ତା

ଜୀବନର ଆରପାରି କୁ ରାସ୍ତା

2 mins
11

ଆରପାରି ଦୁନିଆକୁ
ଗୋଟିଏ ରାସ୍ତା ଅଛି ବୋଲି
ଶୁଣିଛି...
କିନ୍ତୁ ,
ସେ ରାସ୍ତାରେ
କୌଣସି ମାଇଲଖୁଣ୍ଟ ନାହିଁ,
ନାହିଁ କୌଣସି ନାମଫଳକ ,
“ଏନ୍ତୁଡି ରୁ ଆରମ୍ଭ
ଯୁଈ ରେ ଶେଷ ଯାତ୍ରା।”

କେବଳ
ଗୋଟିଏ ଦିନ
ଜୀବନ ହଠାତ୍
ଆମ ହାତରୁ ଖସିଯାଏ,
ଆଉ ଆମେ
ଚାହିଁ ରହିଥାଉ
ଏଇ ପୃଥିବୀର
ଅଧା ଲେଖା କାହାଣୀକୁ
କେତେ କଥା
କହିବାର ଥିଲା,
କେତେ ଚିଠି
ଲେଖିବାର ଥିଲା…

କେତେ ଲୋକଙ୍କୁ
କହିବାର ଥିଲା,
“ତୁମେ ମୋ ପାଇଁ
ବହୁତ ମୂଲ୍ୟବାନ”
କିନ୍ତୁ ,
ଆମେ ସବୁବେଳେ ଭାବୁ
ସମୟ ଅଛି...

ଆଉ ଏକ ଦିନ,
ଆଉ ଏକ ସକାଳ,
ଆଉ ଏକ ସନ୍ଧ୍ୟା
ହେଲେ
ଜୀବନ କେବେ
କାହାକୁ କହି
ଯାଏ ନାହିଁ ,
“ଆସନ୍ତାକାଲି ଦେଖା ହେବ”
ସେଇଥିପାଇଁ
ଆଜିକୁ ବଞ୍ଚି ନିଅ…

ଯାହାକୁ ଭଲପାଅ,
ତା'କୁ କହିଦିଅ
ଯାହା ପାଖରେ ଭୁଲ କରିଛ,
ତା'ଠାରୁ କ୍ଷମା ମାଗିନିଅ
ଯାହାକୁ ହରାଇଛ,
ତା'ର ସ୍ମୃତିକୁ
ଛାତିରେ ରଖି
ଟିକେ ହସିନିଅ,
କାରଣ
ଆରପାରି ଦୁନିଆର
ରାସ୍ତାଟି
ଅପେକ୍ଷା କରିପାରେ...

କିନ୍ତୁ
ଏଇପାରିର ଜୀବନ
କାହା ପାଇଁ
ଅପେକ୍ଷା କରେନି,
ଦିନ ସରିଯାଏ,
ଛାଇ ଲମ୍ବା ହୁଏ,
ସୂର୍ଯ୍ୟ ଧୀରେ ଧୀରେ
ଅସ୍ତ ଯାଏ ,
ଆଉ ଆମେ
ଭାବୁଥାଉ
ଜୀବନ ତ ଏମିତି ହିଁ ଚାଲିବ…

ହଁ,
ଚାଲିବ...
କିନ୍ତୁ
କେତେ ଦିନ?
ଏକଦିନ
ଆମ ଘର ଆଗରେ
ସମୟ ନୁହେଁ,
ନୀରବତା ଠିଆ ହେବ,
ଦୁଆର ଖୋଲିବ,
କିନ୍ତୁ ଆମେ ନଥିବା…

ଚେୟାରଟି ଥିବ,
ଚଷମାଟି ପଡ଼ିଥିବ,
ବହିଟି ଖୋଲା ଥିବ
କେବଳ
ପୃଷ୍ଠା ଓଲଟାଇବାକୁ
ହାତଟି ନଥିବ
ସେତେବେଳେ
ହୁଏତ କେହି
ନୀରବରେ କହିବ,
“ମଣିଷଟି
କେତେ ଶୀଘ୍ର
ଚାଲିଗଲା  !!”

ହଁ...
ମଣିଷ ଚାଲିଯାଏ,
କିନ୍ତୁ
ତା'ର ଭଲପାଇବା
ଚାଲିଯାଏ ନାହିଁ,
ତା'ର କଥା,
ତା'ର ହସ,
ତା'ର ସ୍ପର୍ଶ,
ତା'ର ଅଧା ରହିଯାଇଥିବା
ସ୍ୱପ୍ନଗୁଡ଼ିକ,
ସବୁକିଛି
ଏଇପାରିରେ ରହିଯାଏ…

ବୋଧହୁଏ
ସେଇଥିପାଇଁ
ଆରପାରି ଦୁନିଆକୁ ଯିବା ରାସ୍ତା
ଆସିଲେ ମୃତ୍ୟୁର ରାସ୍ତା ନୁହେଁ
ସେ ହେଉଛି
ଏଇପାରିରେ ଛାଡ଼ିଯାଇଥିବା
ଭଲପାଇବାଗୁଡ଼ିକୁ
ସ୍ମୃତିରେ ପରିଣତ କରିବାର
ଶେଷ ରାସ୍ତା…

ଆଉ ଆମେ?
ଆମେ ଯେତେଦିନ
ଏଇପାରିରେ ଅଛୁ,
ଚାଲ...
କାହାର ହାତ ଧରି
ଟିକେ ଦୂର ଚାଲିବା'
କାହାର ଆଖିରେ
ଟିକେ ଆଲୋକ ହେବା
କାହାର ଦୁଃଖରେ
ଟିକେ ସାନ୍ତ୍ୱନା ହେବା…

କାରଣ
ଆରପାରିକୁ ଯିବା ପୂର୍ବରୁ
ଏଇପାରିରେ
ମଣିଷ ହୋଇ ବଞ୍ଚିଯିବା,
ସେଇଟା ହିଁ
ହୁଏତ
ଜୀବନର ସବୁଠାରୁ ବଡ଼
ସାର୍ଥକତା ହେବ……



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational