STORYMIRROR

Mamatamanjari Das

Inspirational

4  

Mamatamanjari Das

Inspirational

ଘରଚଟିଆ ର ବନ୍ଧୁ ଡାକ

ଘରଚଟିଆ ର ବନ୍ଧୁ ଡାକ

2 mins
1

ପ୍ରଦୂଷଣର ଧୂଆଁ ଭିତରେ
ସକାଳ ଆସେ ଆଜି,
ହେଲେ କୋଉଠି ଶୁଭେନି
ଘରଚଟିଆର ସେ ବନ୍ଧୁଡାକଟି।

ଦିନ ଥିଲା,
ସକାଳ ହେଲେ ଖଳା ଭରିଯାଉଥିଲା,
ଛୋଟ ଛୋଟ ପକ୍ଷୀଙ୍କ ମେଳିରେ
ଆକାଶଟା ଯେମିତି ହସୁଥିଲା
କିଚିରି... ମିଚିରି...
ସେ ଡାକ ଭିତରେ
କେତେ ଆପଣାପଣିଆ ଭାବ ଥିଲା,
ମଣିଷର ବ୍ୟସ୍ତ ଜୀବନକୁ
କିଛି କ୍ଷଣ ପାଇଁ
ଥମେଇ ଦେଉଥିଲାସେହି ଡାକ…

କିଏ କହୁଥିଲା ,ଘରଚଟିଆ,
କିଏ କହୁଥିଲା,କୁଣ୍ଡାଖିଆ ପକ୍ଷୀ;
ଧାନ ଦାନା ଯେଉଁଠି,
ପୋକ-ଯୋକ ଯେଉଁଠି,
ସେଇଠି ଜମୁଥିଲା
ତାଙ୍କର ଛୋଟିଆ ମେଳି…

ସେମାନେ କେବଳ ପକ୍ଷୀ ନଥିଲେ,
ଥିଲେ ଆମ ଘରର ସଦସ୍ୟ,
ସକାଳର ପ୍ରଥମ ଅତିଥି,
ପ୍ରକୃତିର ନିରବ ଦୂତ,
ଆଉ ଆମ ଶୈଶବର
ଅଲିଭା ସ୍ମୃତିଟିଏ।

ବିଲରୁ ପୋକ ଖୁଣ୍ଟି ଖାଇ
ଶସ୍ୟକୁ କରୁଥିଲେ ସୁରକ୍ଷା,
ତାଙ୍କ ଛୋଟ ଛୋଟ ପକ୍ଷରେ
ଲୁଚିଥିଲା ଚାଷୀର
ସୁନା ଫସଲର ଆଶା…

ଆଜି କିନ୍ତୁ,
ନାହିଁ ସେ ଧାନ ଖଳା,
ନାହିଁ ସେ ମାଟିର ଘର,
ନାହିଁ ଚାଷଜମିର ସେ ବିସ୍ତୃତ ସବୁଜ,
ଚାରିଆଡ଼େ କେବଳ
କଂକ୍ରିଟର ଜଙ୍ଗଲ…

ଘର ଉଠିଲା,
କିନ୍ତୁ ଘରଚଟିଆର ଘର ଭାଙ୍ଗିଗଲା,
ଆକାଶ ବଡ଼ ହେଲା,
କିନ୍ତୁ ତାଙ୍କ ପାଇଁ
ଉଡ଼ିବାର ଜାଗା କମିଗଲା…

ସକାଳ ଆସୁଛି,
ସୂର୍ଯ୍ୟ ଉଠୁଛି,
ମଣିଷର ଜୀବନ ଚାଲିଛି,
କେବଳ ଶୁଭୁନି
ସେଇ ଆପଣାର ଡାକ...
“କିଚିରି... ମିଚିରି...”

କେବେ କେବେ ଲାଗେ,
ଘରଚଟିଆ ହୁଏତ ଆମକୁ ପଚାରୁଛି
“ତୁମେ ତ ଘର ବନେଇଲ,
ହେଲେ ମୋ ପାଇଁ
ଗୋଟିଏ ଛୋଟିଆ ଘର
କାହିଁକି ରଖିଲ ନାହିଁ?”

“ତୁମେ ତ ଆକାଶକୁ ଛୁଇଁଲ,
ହେଲେ ମୋ ପାଇଁ
ଟିକିଏ ଖୋଲା ଆକାଶ
କାହିଁକି ଛାଡ଼ିଲ ନାହିଁ?”
“ତୁମେ ତ ଉନ୍ନତି କଲ,
ହେଲେ ମୋର
କିଚିରି ମିଚିରି ଡାକଟାକୁ
କାହିଁକି ହଜାଇ ଦେଲ?”

ଆଜି ଯଦି
କାନ ଡେରି ଶୁଣିବା,
ହୁଏତ ଦୂର କେଉଁଠି
ଗୋଟିଏ ଘରଚଟିଆ
ଏବେ ବି ଡାକୁଥିବ
“ବନ୍ଧୁ... ବନ୍ଧୁ...”

ସେ ଡାକ
କେବଳ ଗୋଟିଏ ପକ୍ଷୀର ଡାକ ନୁହେଁ,
ସେ ଡାକ
ଆମ ହଜିଯାଉଥିବା ପ୍ରକୃତିର ଡାକ
ଆସ,
ତା’ ପାଇଁ ଟିକିଏ ଜାଗା ରଖିବା,
ଘର ଛାତ ଉପରେ
ଟିକିଏ ପାଣି ରଖିବା,
ଟିକିଏ ଦାନା ରଖିବା,
ଆଉ ଆମ ଘର ପାଖରେ
ଗୋଟିଏ ଛୋଟିଆ ଘରଟିଏ ରଖିବା…

କାରଣ,
ଘରଚଟିଆ ଯେତେବେଳେ ଫେରିବ,
ସେତେବେଳେ କେବଳ
ଗୋଟିଏ ପକ୍ଷୀ ଫେରିବ ନାହିଁ,
ଫେରିବ ଆମ ଶୈଶବ,
ଫେରିବ ପ୍ରକୃତିର ହସ,
ଆଉ ଫେରିବ ସକାଳର
ସେଇ ମିଠା ବନ୍ଧୁଡାକ
“କିଚିରି...…ମିଚିରି.….”



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational