ଆଷାଢୀ କନ୍ୟା
ଆଷାଢୀ କନ୍ୟା
ସବୁ ଆଶା ଶେଷ ହୋଇଯିବା ପରେ ବି
ସେ ଫେରେ...
ପାଦରେ କାଦୁଅ, ଆଖିରେ ବର୍ଷା
ଆଉ ଓଠରେ ଗୋଟେ ଭିଜା ହସ...
ଖରାରେ ପୋଡିଯାଇଥିବା ଛାତି ଉପରେ
ସେ ପ୍ରଥମ ଫୁଆଁ ହୋଇ ଝରେ,
ଆଉ ମରିଯାଇଥିବା ସ୍ୱପ୍ନର ବିଜ
ପୁଣି ଅଙ୍କୁରିତ ହୁଏ...
ତମାଳ ତଳୁ ବାଉଁଶ ବନରୁ
କୋଇଲି ନୁହେଁ, ସେ ହିଁ ଡାକେ
"ଶୁଣୁଛ? କିଛି ବି ସରିନି...
ଦେଖ, ମେଘ ପଛରେ ରଙ୍ଗ ଲୁଚିଛି"
ମନର କାନ୍ଥ ଯେବେ ଚୁର୍ ଚୁର୍ ହୁଏ
ସମ୍ପର୍କର କାଚ ଯେବେ ପାଦକୁ ବିନ୍ଧେ
ସେ ଆସି ନିଃଶବ୍ଦରେ ବସେ...
କଥା କୁହେ ନାହିଁ, କେବଳ ଭିଜାଏ
ଆଉ ସବୁ ଘାଆ ଧୋଇ ଦିଏ...
ପ୍ରତିକୂଳତାର ଶହେ ସିଡି ଚଢି
ସେ ଆଣେ ଗୋଟେ ଛୋଟ ଦୀପ
ନାମ ତାର "ଅପେକ୍ଷା"
ଯାହା ବତାସରେ ବି ଲିଭେ ନାହିଁ...
ସେ କାନ୍ଦେ ନାହିଁ, ତେଣୁ ତ ବର୍ଷେ
ସେ ହସେ ନାହିଁ, ତେଣୁ ତ ଫୁଲ ଫୁଟାଏ
ସେ ଛୁଏ ନାହିଁ, ତେଣୁ ତ ସବୁ ଜୀବନ୍ତ କରେ...
ହଁ... ସେ ହିଁ ଆମ ଆଷାଢ଼ୀ କନ୍ୟା
ଦୁଃଖ ପରେ ଆସୁଥିବା ଆଶା
ଅନ୍ଧାର ପରେ ଆସୁଥିବା ଆଲୁଅ
ଯିଏ କହେ -
"ଲାଜେଇ ଲାଜେଇ କାନ୍ଥ ଉପରେ
ନୂଆ ରଙ୍ଗ ବୋଳିଦେ...
ପୃଥିବୀ ଏବେ ବି ଗୋରା ଅଛି" .........!!!
