ହାଟ
ହାଟ
ସହର କିମ୍ବା ବଜାର ନୁହେ
ମଣ୍ଡି, ବିପଣୀ ପରି ନକୁହେ
ରଚନା ଗାଁ ହାଟ,
ଗ୍ରାମ ମୁଣ୍ଡରେ ତୋଟା ଭିତରେ
ହାଟକୁ ଅଛି ବାଟ।
ଭେଣ୍ଡି,ପୋଟଳ, କଖାରୁ ପୋଇ
ଠାଆକୁ ଠାଏପସରା ଥୋଇ
ପାଖ ପାଖର ଚାଷୀ
ତାଜା ପରିବା ବିଲରୁ ତୋଳି
ଆଣି ବିକଇ ଆସି।
ତଟକା ସବୁ ପରିବା କିଣି
ଟମାଟୋ, ଆଳୁ, ଗାଜର ,ବିନି
ଗାଁ ଗଣ୍ଡାରୁ ଆସି
ଚୁଡା, ଉଖୁଡା, ମୁଢିକି ମୁଆଁ
କେଉଁଟା ନୁହେଁ ବାସି।
ନିଗାଡ଼ି ଝାଳ ଖଟଇ ନିତି
ଖରା ବରଷାନାହିଁତା ଭିତି
ପରିଶ୍ରମର ଧନ,
ରୋଗ ଶୋକବା ପଶିବ କାହୁଁ
ମହତ ଟିଏ ଜନ।
ବଡ଼ ହେବାକୁ ଗରଜ ନାହିଁ
ଥାଟବାଟବି ଦେଖାଏ କାହିଁ
ଚାହେଁନି ସନମାନ,
ସାଧାସିଧାଏ ମଣିଷ ଟିଏ
ଜୀବନ ଜାଙ୍କ ଦାନ।
ମାଙ୍କଡ଼ ତାକୁ ସାଜନ୍ତି ଦାଉ
ଝଡ଼ ବରଷା ପାଗବି ଥାଉ
ହାରିଯାଇନି ମନ
ରାତି କି ଦିନ କରି ସମାନ
ରଚେ ସବୁଜ ବନ।
ବୈଇଶାଖୀର ଝାଂଜି ଖରାରେ
ପାଣି ମଡ଼ାଏ ବୋହି ଗରାରେ
କଲରା ଛନଛନ,
ଜଂନ୍ହି, କାକୁଡି ,ପୋଇ,କଖାରୁ
ଲୋଭେଇ ଯିବ ମନ।
ପହଁରା, ପଘା ,ଛାଞ୍ଚଉଣୀ ,ଚଟ
ଶପ ,ପଖିଆ, ତଳେଇ ପଟ
ଚମାର ଭାଇ ଧରି,
ଶାଗ ମୁଗରେ ବିକଇ ଆସି
ଶରଧା ରଖି କରି।
କୁମ୍ଭାର ଭାଇ ସୁରେଇ ହାଣ୍ଡି
ବିକଇ ବସି ହାଟର ଦାଣ୍ଡି
ନିଅଉକିଣି କରି
ବରା, ଘୁଗୁନି ,ଜଳିପି କିଣି
ଘରକୁ ଫେରୁ ଧରି।
ଏବେର ହାଟ ଯାଉଛି ବୁଡ଼ି
କୋଚଣୀ ବାସିପରିବା ଝୁଡ଼ୀ
ବ୍ୟବସାୟୀଙ୍କ ଆଡା
ଆନ୍ଦ୍ର। ,କଲିକତା ପରିବା
ବିକିରି ହୁଏ ଚଢା।
ରଜ ଆସିଲେ ପଣସ ଆମ୍ବ
କଦଳୀ ଛେନା,ଗୂଡ଼,
ସାବିତ୍ରୀ ବେଳେ ଲିଚୁ ସପେଟା
ଫଳରୁ କୁଢ଼ କୁଢ଼।
ବାର ମାସର ତେରପରବ
ହାଟକୁ ଦେଖୁଥାଏ,
ମହାପ୍ରଭୁଙ୍କ ମହାପ୍ରସାଦ
ହାଟରୁ ଧାପେ ପାଏ।
