STORYMIRROR

Aparti Charan Sethi

Comedy

4  

Aparti Charan Sethi

Comedy

ହାତ

ହାତ

1 min
391


ହାତ ପାଇଁ ଭାତ ମିଳରେ ସଙ୍ଗାତ

    ହାତର ଯେତେକ ନାଟ, ,

ସେହି ହାତ ଦାନ ଧର୍ମ କରେ କେବେ

    ବନ୍ଧୁକ ଧରେ ସେ ହାତ।


ଗୁରୁ ଗୁରୁଜନେ କେବେ ଏହି ହାତ 

    ବିନୟେ ପ୍ରଣାମ କରେ,

କେବେ ସ୍ବାର୍ଥ ପାଇଁ ସେହି ହାତ ପୁଣି

    କଲର କାହାର ଧରେ।


ହାଏ ବାଏ କେବେ କରୁଥାଏ ହାତ

    କେବେ ହ୍ୟାଣ୍ଡ ସେକ୍ କରେ,

କେବେ ସେହି ହାତ ପକେଟ‌ ମାରୁଛି

    କେବେ ଏଟିଏମ୍ ତା‌ଡେ।


ଏହି ହାତ ଯେତେ ଲମ୍ଵିଅଛି ଯାର

    ପଲ୍ଲୀ ଠାରୁ ଦିଲ୍ଲୀ ଯାଏ,

ବଡଲୋକିପଣ ବୋଲାଉଛି ସିଏ

    ଖାତିରି ସେ ପାଉଥାଏ।


ଉପରେ ମହଲେ ହାତ ଯଦି ଥିବ

     ନିଶ୍ଚେ କେସ୍ ଜିତିଯିବ,

ଉପର ମହଲେ ହାତ ଥିଲେ ଭାଇ

     ଚାକିରୀଟି ହାତେଇବ।


ଏହି ହାତ ଯେବେ ହାତେ ମିଳିଯିବ

     ଶତ୍ରୁ ମିତ୍ର ହୋଇଯିଵ ,

ସେହି ହାତ ଯଦି ଦୂରେ ଚାଲିଯିବ

     ସମ୍ପର୍କଟା ଭାଙ୍ଗିଯିବ।


ବିବାହ ବନ୍ଧନେ ହାତଟିଏ ଲୋଡ଼ା

     କରିବାକୁ ପ୍ରେମ ହାଟ,

ସେଦିନୁଁ କାନ୍ଦୁଛି କୁନିବୋଉର ମୁଁ

    ଧରିଥିଲି ଯେବେ ହାତ।,


ମାଆ ହାତ ସିନା ମମତାରେ ଭରା

    ସ୍ତ୍ରୀ ହାତେ କିନ୍ତୁ ଝାଡ଼ୁ,

ମଦୁଆ ହାତରେ ମଦ ବୋତଲଟି

    ପେକ୍ ପେକ୍ କରି ମାରୁ।


ମହାଜନ ହାତ ଟଙ୍କା ଗଣୁଥାଏ

    ଗରୀବ ପାତୁଛି ହାତ,

ବାସୁ ବୋଉ ହାତ ଶାଗ ଭଜା ଆହା

    ଉଠାଏ ପଖାଳ ଭାତ।


ସେହି ହାତ କେବେ କା'ଓଠ ଆଉଁସେ

    କାହାକୁ ଚାପୁଡା ମାରେ,

ସେହି ହାତ ପୁଣି କବି ଲେଖକର

    ଲେଖନୀ ଚାଳନା କରେ।


ହାତ ତୋଳେ ଫୁଲ ଦେବ ଉପାସନେ

    ହାତ ଟେକେ ଆଶୀର୍ବାଦ,

ପରହାତ ଟେକା ଭାତ ଦିଏ ନାହିଁ

    ଜୀବନେ କେବେ ଆନନ୍ଦ।


ହାତ ଟାଣେ ରଥ ଦ‌ଉଡି ସେ ହାତ

    ପାଳ ଦ‌ଉଡି ବି ବଳେ,

କେବେ ଭାଙ୍ଗି ଯାଏ ସଧବା ହାତର

    ଶଙ୍ଖା ଚୁଡ଼ି ଅବେଳରେ।


କା'ହାତ ପାପୁଲୀ ରେଖା ଟାଣ ଥାଏ

    କା' ଭାଗ୍ଯେ ଲେଖା କଷଣ,

ଏ ହାତର ପାପ ସେ ହାତ ନେଇନି

    ବିଚିତ୍ର ଏହି ଭିଆଣ।


ହାତଟି ଶରୀରେ ମୂଖ୍ୟ ଅଙ୍ଗଟିଏ

    ହାତ ନିଏ ହାତ ଦିଏ,

ହାତ ଗାତ ଖୋଳି ବୃକ୍ଷଟି ଲଗାଏ

    ମହତ କାର୍ଯ୍ୟରେ ଥାଏ।


ଉଛୁଳା‌ ନ‌ଈରୁ ପାରି କରିଦିଏ

    ନାଉରୀ ହାତର କାତ,

ଏ ଭବ ସାଗରୁ ଉଦ୍ଧାର ପାଇଁକି

    ଅଛି ପ୍ରଭୁଙ୍କର ହାତ।


ବୋଉ ହାତ ଧରି ବାଟ ମୁଁ ଚାଲିଲି

    ଜହ୍ନକୁ‌ ଠାରିଲି ହାତ ,

ଗୁରୁଜୀଙ୍କ ହାତ ବେତ ମାଡଖାଇ

    ପଢିଲି ମୁଁ କିଛି ପାଠ।  


ମାଆ ହାତ ରନ୍ଧା ଅମୃତର ସ୍ଵାଦ

    ମଥାପରେ ବାପା ହାତ,

ହାତଯୋଡ଼େ ଚାରିହାତ ଜାଗା ଦେବ

    ସ୍ଵର୍ଗଦ୍ଵାରେ ଜଗନ୍ନାଥ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy