STORYMIRROR

Kulamani Sarangi

Classics

3  

Kulamani Sarangi

Classics

ଗୁରୁବାର ଉଜୁଁଆ-ପଲ୍ଲୀ କବିତା

ଗୁରୁବାର ଉଜୁଁଆ-ପଲ୍ଲୀ କବିତା

1 min
209



'ବିନି'ନାନୀ ପାଦ ତଳେ ପଡୁନି,

ତା ପିଲେ ଆଇସିନ୍ତି ବୋଲି,

ପାଞ୍ଚ ବରଷର ନାତିଆ 'ଚଗଲା,'

ନାତୁଣୀ ନାଆଁ ଚଗଲୀ।


ସାତ ବରଷର 'ଚଗଲୀ' ବାଇରେ

ଫୁକୁଫୁକୁହେଇ ଡିଏଁ,

ମୁଢିମୁଆଁ,ରାଶିଲଡୁ ଜେଜୀ ଦେଲେ

ରଙ୍କନିଧିପରି ଖାଏ।


ବାରିପଟେ ମାଟିଚୁଲି ଗଢି କରେ

ମିଛିମିଛି ରନ୍ଧାବଢା,

'ଚଗଲା' ଜେଜୀର କାନି ଧରି ବୁଲେ

ହୁଏନାହିଁ ପାଖଛଡା।


ଆଜି ବୁଧୁବାର କାଲି ଗୁରୁବାର

ଉଜୁଆଁ କରିବ ନାନୀ,

କେତେ ପିଠାପଣା ଗଢି ରଖିଲାଣି

ସାରା ରାତି ସେ ଶୋଇନି।


ଆରିସା,କାକେରା ,ଗୁଲୁଗୁଲା,ବରା

ଦହିବରା,ଘୋରାମଣ୍ଡା,

ଛେନା ନଡିଆକୁ ପକାଇ କରିବ

ଚାଉଳ ଗଇଁଠା ଗୁଣ୍ଡା।


ଖିରୀ,ଅଟକାଳି,ଦହିଭାତ ପୁଣି

ସରୁ ଚକୁଳି କରିବ।

ଖଣ୍ଡନଡିଆର ବୁଢାଚକୁଳି ଯେ

ଲକ୍ଷ୍ମୀପାଖେ ଲାଗିହବ।


କାହିଁକି କେଜାଣି ଆଜି ବିନିନାନୀ

ଖୁସିରେ ଉଠୁଚି ଫୁଲି,

ଏଥରକ ଗୁରୁବାର ଉଜୁଆଁକୁ

ପିଲେ ଆଇସିନ୍ତି ବୋଲି।


ରହିବେ ପିଲାଏ ହପ୍ତାଏ ଏଥର

ଖାଇବେ ମୁଢି ଆରିସା,

ଟିଣେମୁଢି ଭାଜି ରଖିଚି ମୋ ନାନୀ

ତା ସାଙ୍ଗକୁ ଗୁଡ ଖସା।


ଶୀତସକାଳରେ ନିଆଁ ପୋଉଁଥିବେ

ପିଲେ ଖାଉଥିବେ ମୁଢି,

କୋଳରେ ପୁରେଇ ନାତିକୁ ଗପର

ମୁଣି ଝାଡୁଥିବ ବୁଢୀ।


××××××

ଗୁରୁବାର ଆଜି,ବିନିନାନୀ ଆଖି

ମାନୁନି ଲୁହର ଝର,

ସକାଳୁ ସକାଳୁ ପୁଅ ଗଲା ନେଇ

ପିଲାଙ୍କୁ ଭୋବନିଶୋର।

ରାତିରେ ଆସିଲା ଫୁନୁ ପୁଅର

ଅଫିସିରେ କାମ ଅଛି,

ନିଦରୁ ଘୋସାରି ପିଲାଙ୍କୁ ନେଇଚି

ମନକି ଭଲ ନାଗୁଚି ?


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics