ଗରୀବ
ଗରୀବ
ଅଭାବୀ ଜୀବନ ମୋର
ଜଞ୍ଜାଳ ହାଟରେ
ଗରୀବ ରୂପରେ ଗଣା
ସମାଜ ଦାଣ୍ଡରେ ।
ସପନ ଦେଖିବା ମନା
ନିଦ୍ରିତ ନେତ୍ରରେ
ସୂରୁଜ ଚନ୍ଦ୍ରମା ନିତି
ହସନ୍ତି ମୋ' ଘରେ ।
ବରଷା ଗ୍ରୀଷମ ଶୀତ
ସହୁଛି କଷ୍ଟରେ
ବତାସ ଝଡ଼କୁ ଦେଖି
ଶରୀର ମୋ'ଥରେ ।
ମୁଠାଏ ସୁସ୍ୱାଦୁ ଖାଦ୍ୟ
ଜୁଟେନି ଭାଗ୍ୟରେ
ମୁନ୍ଦିଏ ତୋରାଣି ମୋର
କ୍ଷୁଧାକୁ ନିବାରେ ।
ଦିନରେ ଅରଜେ ଯେଉଁ
ଟଙ୍କା ମୁଁ ଶ୍ରମରେ
ଘରର ସଉଦା କିଣି
ସରଇ ସନ୍ଧ୍ୟାରେ ।
ନଥାଏ ଟଙ୍କାଟେ ପାଶେ
ପଡିଲେ ରୋଗରେ
ପ୍ରଭୁଙ୍କୁ ସୁମରୁ ଥାଏ
ନିର୍ମଳ ହୃଦରେ ।
ଫୁଟାଇ ପାରେନି ହସ
ଘରଣୀ ଓଠରେ
ଲଜ୍ଜାକୁ ନିବାରେ ସିଏ
ପୁରୁଣା ବସ୍ତ୍ରରେ ।
ଭରିଛି ଅନେକ ଆଶା
ଛୁଆଙ୍କ ମନରେ
କେମିତି କରିବି ପୂର୍ଣ୍ଣ
ନିଜକୁ ପଚାରେ ।
ଏମିତି ଅକୁହା କଷ୍ଟ
ଭରିଛି ହୃଦରେ
ତଥାପି ଚାଲିଛି ବାଟ
ସାହସ ଧୈର୍ଯ୍ୟରେ ।
ବିଧାତା ଲେଖିଛି ଯାହା
ମୋହର ମଥାରେ
ପ୍ରାପତ ହୋଇବି ନିଶ୍ଚେ
ଜୀବନ ଯାତ୍ରାରେ ।
