ଗର୍ବ ମୋ ମା ମାଟି
ଗର୍ବ ମୋ ମା ମାଟି
ମାଆ ମାଟିର ମମତା ନୁହେଁ ଭୁଲିବାର
ସେଇ ପାଣି ପବନରେ ଗଢିଛି ଶରୀର
ସେଇ ଝାଟି ମାଟି ବାସ୍ନା ରହିଛି ମନରେ
ବିଲ ବଣ ସାଙ୍ଗ ମେଳ ହୃଦୟ ଭିତରେ
ପରିବାର ସମ୍ପର୍କ ର ଡୋରି ଥିଲା ଦୃଢ଼
ଅହଙ୍କାର ନ ଥିଲା ମୁଁ ହିଁ ଅଟଇ ବଡ
ମା ହାତ ତିଆରି ଖାଦ୍ୟ ସତେ କି ଅମୃତ
ବାପାଙ୍କ ସଂସ୍କାର ଜୀବନ ସହ ଜଡ଼ିତ
ପ୍ରକୃତି କୋଳରେ ଥିଲା ପରି ଅନୁଭୂତ
ବାର ମାସେ ପ୍ରାୟ ଲାଗି ରହୁ ଥିଲା ଯାତ
ମାନବିକତା ର ଛାପ ଥିଲା ହୃଦୟରେ
ଦୁଃଖ ବିପଦରେ ଆହା ଶୁଭଇ ମୁଖରେ
ଅନ୍ଧାର ଓ ଆଲୁଅ ର ଖେଳ ଭଲ ଥିଲା
ଦିନ ଆଉ ରାତି କଣ ଜାଣି ହେଉ ଥିଲା
ଲାଜ ସରମ ରହି ଥିଲା ଘରେ ବାହାରେ
ଲାଜ ଅଳଙ୍କାର ଥିଲା ନାରୀଙ୍କ ପକ୍ଷରେ
ଭାଇଚାରା ସମ୍ପର୍କର ସେତୁ ଥିଲା ଦୃଢ଼
ମାନ୍ୟତା ବି ଥିଲା କିଏ ସାନ ଆଉ ବଡ
ସବୁଠୁ ନିଆରା ଥିଲା ନିତ୍ୟକର୍ମ ଧାରା
ଖୋଲା ପଡିଆ ପୋଖରୀ ଥିଲା ସାହାରା
ସଞ୍ଜ ସକାଳେ ସଭିଏଁ ହେଉଥିଲେ ରୁଣ୍ଡ
କେତେ କାନ କୁହା କଥା ପୁଣି ପାଟି ତୁଣ୍ଡ
ଆଧୁନିକତାର ଛାପ ଦୂରେ ରହିଥିଲା
ପରିବେଶ ପରିବାର ସୁସ୍ଥ ଲାଗୁଥିଲା
ଖରା ବର୍ଷା ଶୀତ ର ପ୍ରତ୍ୟକ୍ଷ ଅନୁଭବ
ସେଇ ଜନମ ମାଟିରେ ରହିଥିଲା ଭାବ
ଭାବନା ଭିତରକୁ ଆପେ ଆସେ ମାଟି ମା
ଭୁଲିବା ଦୂରୁହ ବ୍ୟାପାର ଗାଁ ମାଟି ମା
ଅନ୍ତର ରୁ କୋହ ଉଠେ ଦେଖି ସେଇ ଗାଆଁ
ପରିବେଶ ଏବେ ସହରିଆ ,ଲାଗେ ଖାଁ ଖାଁ
ଆଧୁନିକତାର ଛାପ ଜନମ ମାଟିରେ
ଦେଖି ନ ଦେଖିବା ଭଙ୍ଗୀ ମୁଖ ମଣ୍ଡଳରେ
କିଏ କାହା ସହ କଥା ହେବା ଦେଖା ନାହିଁ
ମୋବାଇଲ୍ ଟିପା ହୁଏ ମନ ଧ୍ୟାନ ଦେଇ
ପରିଚୟ ଦେଲେ ସୁଦ୍ଧା କେହି ଚିହ୍ନୁ ନାହିଁ
ତଥାପି ଜନମ ମାଟି ମୋହ ତୁଟୁ ନାହିଁ
ଯିଏ ଯାହା କହୁ,ଜନ୍ମ ମାଟି,ମା ମୋ ଗର୍ବ
ଏଇଠି ଜଳୁ ଯୁଇ,ମାଟି ମା ରେ ମିଶିବ ।
