ଗୋଲାପ ତୁ ବାସୁ ଫୁଟି
ଗୋଲାପ ତୁ ବାସୁ ଫୁଟି
ମହମହ ହୋଇ ବାସୁଅଛୁ ଫୁଟି
ଗୋଲାପ ତୁ ନାନା ରଙ୍ଗେ,
ଭାରି ଇଚ୍ଛା ହୁଏ ମନ ଖୋଲି ଆଜି
କଥା ହେବି ତୋହ ସଙ୍ଗେ ।
ମଝିରେ ରୋକିବୁ ନାହିଁ;
କିଏ ଆସିଗଲେ ମୁଣ୍ଡ ଟୁଙ୍ଗାରିକି
ଠାରି ଦେବୁ ମୋତେ ଚାହିଁ ।
ବାପା ମାଆଙ୍କର ଗେହ୍ଲେଇ ଝିଅ ମୁଁ
କଲେଜ ଯାଉଛି ନୂଆ,
ପାଠରେ ଆଗରୁ ମନ ଲାଗୁଥିଲା
ଏବେ ହୁଏ ଅମାନିଆ ।
ଖୋଲିକି ବସିଲେ ବହି;
ଭାବନା ରାଇଜେ ପକ୍ଷୀରାଜ ଚଢ଼ି
ଆସିଯାଏ ଜଣେ କେହି ।
ଏ ଲାଜ କଥାକୁ କା' ଆଗେ କହିବି
ଶୁଣିଲେ ହସିବ କିଏ,
ଆଉ କେ କହିବ ବଡ଼ ଅଲାଜୁକି
ଝିଅଟା ଲୋ ମାଆ ଇଏ ।
ତେଣୁ କହୁଅଛି ତୋତେ;
ଏଇ ବୟସରେ ସଭିଙ୍କ ଅବସ୍ଥା
ହୁଏ କି ଏମିତି ସତେ !!

