ଗଙ୍ଗଶିଉଳି
ଗଙ୍ଗଶିଉଳି
ଗୋଟିଏ ରାତିର ନୂଆଁ କୁଣିଆ ତୁ
ନାଁ ତୋର ଗଙ୍ଗଶିଉଳି
ରାତିରେ ଫୁଟି ତୁ ରାତିରେ ହିଁ ଝଡୁ
କା ' ପାଖେ ନାହିଁ ତୋ ଅଳି ।
କେତେରଙ୍ଗେ ତୁହି ସଜେଇ ହୋଇଛୁ
ଧଳା ସଙ୍ଗେ ନାରଙ୍ଗିରେ
ମନ କିଣି ନେଉ ଦିଗ ଚହଟାଇ
ତୋର ମିଠା ସୁବାସରେ ।
ଗଙ୍ଗଶିଉଳି ଲୋ ଗଙ୍ଗଶିଉଳି ତୁ
କିମ୍ପା ଯାଉ ତୁ ଝାଉଁଳି
ତୋ ରୂପ ଦର୍ଶନେ ଅଧିର ମୋ ପ୍ରିୟା
ଦେଖିବାକୁ ସେ ଗାଉଁଳି ।
ପ୍ରତି ପ୍ରଭାତରେ ସାଉଁଟି ଆଣେ ସେ
ତୋ ମଧୁ ମହକ ପାଇଁ
ତୋ ଆୟୁଷ ଅଳ୍ପ ଜାଣି ସୁଦ୍ଧା ସିଏ
ମନ ଦୁଃଖ କରେ ନାହିଁ ।
ନିତି ଧାଇଁ ଯାଏ ତୋ ଗଛ ମୂଳକୁ
ପାଣି ଟିକେ ଦେବା ପାଇଁ
ଦୀପ ଜାଳି ସିଏ ମାଗେ ଲମ୍ବା ଆୟୁ
ଦିଅ ହେ କଳା ଗୋସାଇଁ ।
