STORYMIRROR

Arjuni charan Behera

Inspirational Others

3  

Arjuni charan Behera

Inspirational Others

ଗଙ୍ଗାଠାରୁ ଗୋଦାବରୀ

ଗଙ୍ଗାଠାରୁ ଗୋଦାବରୀ

1 min
105


ଉତ୍କଳଦିବସେ ଉତ୍କଳୀୟ ଭାଇ

    ଉତ୍କଳ କାହାଣୀ ଶୁଣ l

ଉତ୍କଳ ବିଭୂତି ନୀଳାଚଳ ପତି 

    କାଞ୍ଚିଗଲେ କରି ରଣ ll

ଜୟ ବୈଜୟନ୍ତୀ ଉଡ଼ିଲା ଭାରତେ

  ବାଜେ ଶଙ୍ଖ ଭେରୀ ତୂରୀ l

ଅଜେୟ ଉତ୍କଳ ସାମ୍ରାଜ୍ୟ ବିସ୍ତୃତ

   ଗଙ୍ଗାଠାରୁ ଗୋଦାବରୀ ll

କପିଳେନ୍ଦ୍ର ଦେବ ନୃପତି ପୁଙ୍ଗବ

   କାଶିଆ କପିଳା ଭେଟ l

ବାହମନୀ ରାଟ ହୋଇଲେ ଆକଟ

   କୃଷ୍ଣା କାବେରୀର ଘାଟ ll

ଉତ୍କଳ ସାଧବ ବାଣିଜ୍ୟ ବିଭବ

    କର୍ପୁର ଯାଇଛି ଉଡ଼ି l

କେ ପାରେ ସୁମାରି ଗାଥା ଅସୁମାରୀ

    ଉତ୍କଳୀ ହୁଅନ୍ତି ଝୁରି ll

ଆମେତ ଓଡ଼ିଆ ଭାଷା ମୋ ବଢ଼ିଆ

  ଶାସ୍ତ୍ରୀୟ ଭାରତେ ଖ୍ୟାତ l

ଆମ ଭଞ୍ଜବୀର ଆମ ବଳଦେବ

   ଶାସ୍ତ୍ରୀୟ ଓଡ଼ିଶୀ ଗୀତ ll

ଆମ ଜୟଦେବ ଶ୍ରୀଗୀତଗୋବିନ୍ଦ

     ଶୁଣନ୍ତି ଜଗତ ପତି l

ଜଗନ୍ନାଥ ଦାସ ଉତ୍କଳର ବ୍ୟାସ

   ଭାଗବତ ଭାବ ଗୀତି ll

ଝଙ୍କଡ଼ ବାସିନୀ ବାଇ ବୀଣାଧ୍ଵନୀ

   ଭାରତ ଶାରଳା ରଚି l

ପ୍ରାଦେଶିକ ଭାଷା ସେ କାବ୍ୟ ସରସା

   କିଏବା ଭାରତେ ଅଛି ll

ଉତ୍କଳୀ କୁଶଳୀ ଶିଳ୍ପ କାରିଗରି

   କୋଣାର୍କ ଅପୁର୍ବ କଳା l

ସୂଚୀମୁନେ ଗଢ଼ା ନିହାଣ ମୁଗୁରେ

   କାଳବକ୍ଷେ ଆଙ୍କିଗଲା ll

ଯହିଁ ବିରାଜନ୍ତି ମାଆ ଜଗଦ୍ଧାତ୍ରୀ

   ନାରାୟଣୀ ବିଦ୍ୟାଦାତ୍ରୀ l

ବିଦ୍ୟାର ନଗର ରାଜଧାନୀ ମୋର

  ଚୋଉଦ ଭୁବନେ ଖ୍ୟାତି ll

ଉତ୍କର୍ଷ କଳାର ମାଟିଟି ମୋହର

    ଉତ୍କଳ ନାମ ତା ଏଣୁ l

ପୋଥିଟିଏ ହେବ ଶେଷ ତା ନୋହିବ

    ଗୁଣ ବଖାଣୁ ବଖାଣୁ ll

ଉତ୍କଳର ନେତା ସ୍ଵୟଂ ନାରାୟଣ

   ଉତ୍କଳୀ ପ୍ରାଣର ପ୍ରାଣ ll

ଶ୍ରୀଜଗନ୍ନାଥଙ୍କ ଚରଣେ ଶରଣ

   ଉତ୍କଳୀର ରଖ ମାନ ll

    


Rate this content
Log in

Similar oriya poem from Inspirational