ଘୋଡ଼ା ଡିମ୍ବ
ଘୋଡ଼ା ଡିମ୍ବ
ଭାବୁଛି ମନେ ରାଧୁଆ ଦିନେ
ଘୋଡାଟିଏ କିଣିବି
ବସି ପିଠିରେ ପାଖ ହାଟରେ
ବେପାର ମୁଁ କରିବି ।।
ବୁଝିଲା ଘୋଡ଼ା ଟଙ୍କା ଯେ ଥୋଡା
ପାଖରେ ଧନ ନାହିଁ
ଭାବୁଛି ମନେ ଡିମ୍ବ ବିହୁନେ
ଛୁଆ ଫୁଟିବ କାହିଁ ।।
ବଜାର ଯିବି ଡିମ୍ବ ଆଣିବି
ରଖିବି ତାକୁ ଘରେ
ଛୁଆ ଫୁଟିଲେ ପାଳି ଆଦରେ
ଘୋଡା ପାଇବି ଭଲେ ।।
ମନେ ବିଚାରି ପଇସା ଧରି
ହାଟକୁ ଗଲା ଧାଇଁ
ହାଟରେ ବୁଲେ ମନ ଦୁଃଖରେ
ଡିମ୍ବ ମିଳିବ କାହିଁ ।।
ଭାବି ବୋକାଟେ କହେ ଲୋକଟେ
ଘୋଡା ଡିମ୍ବଟି ଏହି
ତରଭୁଜଟି ଡିମ୍ବ ଆକୃତି
ଦେଖି ସେ ଖୁସି ହୋଇ ।।
ଧାଇଁ ଦୋକାନେ ରାଧୁଆ କିଣେ
ଘୋଡା ଡିମ୍ବରୁ ଗୋଟେ
ଯତନେ ଧରି ଆସେ ବାହାରି
ଝାଡା ଲାଗିଲା ବାଟେ ।।
ଡିମ୍ବକୁ ଥୋଇ ଝାଡା ବସଇ
କିଛି ଦୂରରେ ଯାଇ
ଠେକୁଆଟିଏ ଆନନ୍ଦେ ଖାଏ
ତରଭୁଜକୁ ପାଇ ।।
ପୋଖରୀ ପାଣି ସାରି ସେ ପୁଣି
ଫେରିଲା ଡିମ୍ବ ପାଶେ
ମଣିଷ ଦେଖି ଠେକୁଆ ଆସି
ଭୟେ ବୁଦାରେ ପଶେ ।।
ଦେଖେ ରାଧୁଆ ମୋ ଘୋଡା ଛୁଆ
ଵୁଦାରେ ଗଲା ପଶି
ଅଣ୍ଡାଳେ ଆସି ନ ପାଇ କିଛି
ଥକ୍କାରେ ଗଲା ବସି ।।
ବାହୁନି କାନ୍ଦେ ନଈର ବନ୍ଧେ
ଗଲା ମୋ ଘୋଡାଛୁଆ
ଦେଖିଲେ ଲୋକେ ହସିଲେ ଥୋକେ
କହି ବୋକା ରାଧୁଆ ।।