ଗଛ
ଗଛ
ଏମିତି ସାରା କାଳ ଛିଡ଼ା ହୋଇ ରହିଛି
ବାରମ୍ବାର ମାଟିକୁ ଧରିବାର ପ୍ରତିଶ୍ରୁତିରେ
ଜୀବନର ଆରମ୍ଭରୁ ଶେଷ ଯାଏ ନୀତି
ସେ ନିଷ୍ପାପ ମନନେଇ ସମାନ ଅନୁଭୂତିରେ ,
ତମ ରୂପରଙ୍ଗ ପତ୍ର ଫଳ ଗୁଣରେ ହିଁ
ତୁମ ନାଆଁର ଅସ୍ମିତାର ପ୍ରମାଣ ପରିଚୟ
କେଉଁ କାଳଖଣ୍ତରେ ତମ ଉତ୍ପତ୍ତି ସୃଷ୍ଟିରେ
କାହିଁକି ଏ ଧରାଧାମେ ତମେ ଅମର ଅଜୟ ,
ତମକୁ ନେଇ ଏ ସବୁଜ ସୃଷ୍ଟିର କଳ୍ପନା
ସୁନେଲି ସକାଳର ମାନେ କ'ଣ ଵା ତମ ବିନା,
ତମ ପାଇଁ ହିଁ ଖରା ବର୍ଷା ଶୀତ କାକରର
&
nbsp; ଏ ମହୀର ରଙ୍ଗ ମଞ୍ଚରେ ସବୁତକ ସର୍ଜନା ,
ତମେ ଅଛ ଏଠି ସେଠି ସବୁଠି ବିଦ୍ୟମାନ
ଅଙ୍ଗାରକାମ୍ଳ ତକ ନେଇ ଦେଉଛ ଅମ୍ଳଜାନ,
ମନ ଆଇନାରେ ତମେ ବିମ୍ବିତ ବିଭୋରତା
ତମ ଉପସ୍ଥିତି ଗଢେ ଭବିଷ୍ୟତ ବର୍ତ୍ତମାନ ,
ନିଶୂନ୍ ପୃଥିବୀର ଅଗଣାରେ ସତେ ତମେ
ଏ ଜୀବନର ସତ୍ତା ,ସମସ୍ତ ସ୍ୱପ୍ନର ଆଧାର ,
ସମ୍ଭାବନାମୟ ଆବେଗର ସମ୍ଭାର ତଳେ
ବହୁ ପ୍ରତୀକ୍ଷିତ ଗୀତଟିଏ ରାଗ ମହ୍ଲାରର .....।