ଗାଁରେ
ଗାଁରେ
ସିନ୍ଦୁରା ଫାଟିଲା
ମଲ୍ଲୀ ଚହଟିଲା
କିଆ କେତକୀର ମହକ,
ଆକାଶ ନିର୍ମଳ
ପରି ଦୃବାଦଲ
ଧରିତ୍ରୀ ଶୋଭାରେ ଫରକ ।
କୁକୁଡ଼ା ଡାକିଲା
ଡାମର ରାବିଲା
ଚଢେଇ କିଚିରି ମିଚିରି
ପୂରୁବ ଦିଗରୁ
ଫରୁଆ ଭିତରୁ
ସିନ୍ଦୁର ଝରିଲା ବିଚିରି ।
ଦାଣ୍ଡ ବାରି ଘର
ହୋଇ ତରବର
ଖରକା ଖରକି ସାରିଲେ,
ଗୁହାଳରୁ ଗାଈ
ଦୁହା ହେବା ପାଇଁ
ନିଆଁ ଦେଇ ଘଷି ପାରିଲେ ।
ଗୋବରର ପାଣି
ଛିଞ୍ଚିଦେବିଆଣି
ଚୁଲିରୁ କାଢ଼ିଦେ ପାଉଁଶ ,
ଗାଈକୁ ଦୁହିବା
ବାଛୁରୀ ଛୁଇଁବା
ଧୂଆଁଦେଇ ଯାଏ ଡାଆଁସ ।
ସିନାନ ସାରନ୍ତି
ଶୁଭ ମନାସନ୍ତି
ଦେବତାଙ୍କୁ ଜଳ ପରସି
ଘରକୁ ଫେରନ୍ତି
ଝିଅ ବୋହୁ ଥାନ୍ତି
କାଖେ ଧରିପୂର୍ଣ୍ଣ କଳସୀ ।
ଚଉରାରେ ପାଣି
ତୁଳସୀକୁ ଆଣି
ପାଇ କାମେ ଯାଉ ମାତିରେ,
ମା କୋଳେ ବଢି
ଦିନଯାଏ ଗଡି
ଶୋଇପଡୁ ଯାଇ ରାତିରେ ।
