ଗାଁ ମୋ ସରଗପୁର
ଗାଁ ମୋ ସରଗପୁର
ଏପଟରେ ବଣ ସେପଟରେ ବିଲ
ଆଗରେ ପାହାଡ ଠିଆ
ଏଇଠି ବଢିଲି ଏଇଠି ପଢିଲି
ଏଇ ମୋ ଛୋଟିଆ ଗାଁ ।
ପେଟ ପୋଷିବାକୁ ସହରକୁ ଗଲି
ସହରରେ କଲି ଘର
ସହରକୁ ଯେତେ ନିଜର ଭାବୁଛି
ସହର ସେତିକି ପର ।
ଗାଁରେ ପଛେ ମୁଁ ଥାଏ କି ନଥାଏ
ସମସ୍ତେ ଜାଣନ୍ତି ମୋତେ
ସହରରେ ମେତେ ଚିହ୍ନିପାରନ୍ତିନି
ମୋ ଘର ପଡୋଶୀ ଯେତେ ।
ଚିହ୍ନିଛନ୍ତି ଯିଏ ଜାଣନ୍ତିନି ମୋର
ପ୍ରକୃତ ନାମଟି କେହି
ସାହୁ ବାବୁ ବୋଲି ଡାକନ୍ତି ସେମାନେ
ପରିଚୟ ମୋର ସେହି।
ଗାଁରେ କାହାର ଦାଦା ବଡବାପା
କାହାର ମୁଁ ବଡଭାଇ
ସଭିଏ ଲାଗନ୍ତି ନିଜର ନିଜର
କଥା ନିଏ ମନ ମୋହି ।
ସହରୀ ମଣିଷ ତତଲା ନିଶ୍ୱାସ
ବିଶ୍ୱାସରେ ଭରା ବିଷ
ଗାଁ ମଣିଷଙ୍କ ଦରଦୀ ହୃଦୟ
ମନଖୋଲା ତାଙ୍କ ହସ ।
ସହରକୁ ଟାଣେ ସ୍ବାର୍ଥର ଦଉଡି
ଗାଁ କୁ ମମତା ଡୋର
ଧନ ନୁହେଁ ଏଠି ମନ ବଡ ବୋଲି
ଗାଁ ଲାଗେ ଆପଣାର ।
ସହର ବୁକୁରେ ଅନ୍ଧାରଠୁ ବେଶି
ଆଲୁଅକୁ ଲାଗେ ଡର
ଅନ୍ଧାରୀ ମୂଲକ ହେଉ ପଛେ ଗାଁ
ମୋ ପାଇଁ ସରଗ ପୁର ।