ଗାଁ ଖେଳ
ଗାଁ ଖେଳ
କୁନି କୁନି ପିଲା ଡକା ଡକି ହୋଇ
ଆନନ୍ଦେ ସଭିଏଁ ମେଳି
ଗ୍ରାମ ଦାଣ୍ଡ ତାଙ୍କ ଖେଳପଡିଆ ଟି
ସକାଳ ସଂଧ୍ୟାରେ ଖେଳି ll
ଠେଲା ଠେଲି ପୁଣି ଗୋଡ଼ିଆ ଗୋଡେଇ
ଖେଳି ନାନା ଜାତି ଖେଳ
ସାଙ୍ଗେ ସାଙ୍ଗେ କଳି ସାଥି ସାଥି ଖେଳି
ମନରେ ନଥାଏ ଛଳ ll
ଗୋଳେଇ ଗୁନ୍ଦୁରୀ ହିସାଵ ହୁଅଇ
ସାକ୍ଷୀ ସାଙ୍ଗ କଳିଦ୍ଵନ୍ଦ
ରାଗିକି ରୁଷିକି ଖେଳନ୍ତି ଭୁଲିକି
ନଥାଏ ମନରେ ଛନ୍ଦ ll
ଗ୍ରାମର ଦାଣ୍ଡରେ ପୋଖରୀ ହୁଡାରେ
ଖେଳନ୍ତି ରାସ୍ତା ମଝିରେ
ଖେଳ ପାଇଁ ସ୍ଥାନ ନଥାଏ ନଜର
ସ୍ଥାନ ସବୁଠି ଖେଳରେ ll
କ୍ରିକେଟ ଖେଳକି ଖେଳ ଡୁଙ୍ଗୁପୁଆ
ହିସାବ ପଏଣ୍ଟ ସହି
ଖେଳର ହିସାବ ନିର୍ଭୁଲ ହୁଅଇ
ପାଠରେ ନହେଲା ନାହିଁ ll
ଦଉଡ଼ା ଦଉଡି ଖେଳତ କବାଡି
ଦେଖିଲେ ଲାଗଇ ମଜା
ଘୋଷରା ଘୋଷରୀ ପଡିକି ଉଠିକି
ଖେଳନ୍ତି ଯେପରି ନିଶା ll
ବୁଢ଼ା ବୁଢ଼ୀ ସଙ୍ଗେ ଥଟ୍ଟା ମଜା ଖେଳ
ଚିଡ଼ିଆ ଚିଡେଇ ହୋଇ
ଚିଡ଼ିଆ ଚିଡେଇ ଆନନ୍ଦର ଖେଳ
ଖେଳନ୍ତି ଖତେଇ ହୋଇ ll
ଲୁଚା ଲୁଚି ପୁଣି ଛକା ଛକି ଖେଳେ
ହୋଇ ଆନନ୍ଦ ବିଭୋର
ନାହିଁ ସେହି ଦିନ ଖେଳ ତ ପୁରୁଣା
ମୋବାଇଲ ଦରକାର ll
ମୋବାଇଲ ଗେମ କାଟୁନ ଦେଖିବା
ଖେଳ ଆଜିର ଦିନର
ନାହିଁ ସ୍ନେହ ପ୍ରୀତି ପୁରୁଣା ଖେଳରେ
ଖେଳ ହୁଏ ହତାଦର ll
ଏବେ ପାଠପଢା ସକାଳ ସଞ୍ଜରେ
ଟିଉସନ ପ୍ରୀତି ଘାରେ
ପାଠର ନାମରେ ପିଲାଙ୍କ ସମୟ
ପିଲାବେଳ ସବୁ ସରେ ll
ପ୍ଲେ ବିଦ୍ୟାଳୟରେ ଖେଳନ୍ତି ପିଲାଏ
ପଇସାର ବଡ ଖେଳ
ଦରକାର ନାହିଁ ଗ୍ରାମର ଦାଣ୍ଡକି
ସାଙ୍ଗ ସାଥି ସବୁ ମେଳ ll
ସାଙ୍ଗ ସାଥି ଖେଳ ବାଲ୍ୟ ସମୟର
ଭବିଷ୍ୟତ ଭାଇଚାରା
ସମାଜ ଗଠନେ ହୁଏ ଦରକାର
ସମସ୍ତେ ବୁଝିବା ପରା ll
