ଗାଆଁ ପରମ୍ପରା
ଗାଆଁ ପରମ୍ପରା
ଗାଆଁ ପରମ୍ପରା ଡୁବି ଯାଉଛି
ସହରୀ ଢାଞ୍ଚାର ସୁଅ ଛୁଟୁଛି,
ବାପା ଜେଜେବାପା ମାଆ ଜେଜେମାଆ
କାହାଣୀ ବା ଆଉ କିଏ ଶୁଣୁଛି
ସରକାରଙ୍କର ଗୃହ ଯୋଜନା
ଇନ୍ଦିରା ଆବାସ ମିଳେ ମାଗଣା,
ଝାଟିମାଟି ଘର ଧୋବ ଫର ଫର
ଗାଆଁ ସାରା ଖାଲି କୋଠା ଅଗଣା
ଗାଆଁ ଖେଳକୁଦ ବୁଡି ଗଲାଣି
ଲୁଡୁ ତାସ ପାଲି କେବେ ପଡୁନି,
କବାଡି ବାଗୁଡି ବୋହୁଚୋରି ଖେଳ
କିତି କିତି ଆଉ ଜମା ଶୁଭୁନି
ଭାଗବତ ଟୁଙ୍ଗି ଭାଙ୍ଗିଯାଉଛି
ଆଧୁନିକ ଗୀତ ଭଲ ଲାଗୁଛି
ପାଲା ସଂକୀର୍ତ୍ତନ ଖଞ୍ଜଣି ଭଜନ
କଦବା କୋଚିତ କେବେ ଶୁଭୁଛି
ଲଣ୍ଠନ ଡିବିରି ବତୀ ଲିଭୁଛି
ବିଜୁଳି ଆଲୁଅ ଘରେ ଜଳୁଛି,
ଟିଭି ମୋବାଇଲି କିମିଆ କରିଛି
ରେଡ଼ିଓ କିଏ ବା କାହିଁ ଶୁଣୁଛି
ବାହାର ପବନ ଏବେ ଚଳୁନି
ହାତପଙ୍ଖା ଆଉ କେହି ଖୋଜୁନି,
ବିଜୁଳି ପଙ୍ଖା ଓ ଏସି ପବନରେ
ଥଣ୍ଡା କି ଗରମ ଜଣା ପଡୁନି
ବିଦ୍ୟାଳୟ ସେହି ବେତ ପାହାର
ପିଠିରେ ବାଜୁନି ଆଉ କାହାର,
ବିଦ୍ୟାଳୟ ଏବେ ଦଣ୍ଡମୁକ୍ତ ହୋଇ
ଶିକ୍ଷକ ଛାତ୍ରଙ୍କୁ ଦୂରୁ ଜୁହାର
ଗାଆଁପଲ୍ଲୀ ଶିକ୍ଷା ଯାଏ ବଦଳି
ସ୍ମୃତି ଏବେ ହେଲା ଗାଆଁ ଚାହାଳି,
ପ୍ଲେଏ ସ୍କୁଲରେ ବିଦ୍ୟାର ଆରମ୍ଭ
ପ୍ରାରମ୍ଭ କେଜିରେ ଭାରି ଗହଳି
ବେଶପୋଷାକର ଭିନ୍ନ ଶଇଳୀ
ଝିଅମାନେ ଏବେ ଅଧା ଲଙ୍ଗୁଳି,
କୁର୍ତ୍ତା ପାଇଜାମା ପୁରୁଣା ହେଲାଣି
ଖଦି ଯୋଡ ଧୋତି ଆଉ ଚଳୁନି
ଶାଢ଼ୀ ଶଙ୍ଖା ପିନ୍ଧି ମୁହଁ ଓଢଣୀ
ନୂଆ ବୋହୁ ଆଉ କେବେ ଟାଣୁନି,
ଚୁଡ଼ିଦାର ଓନି ନାଇଟି ପିନ୍ଧିବା
ଅଭ୍ୟାସରେ ଏବେ ପଡି ଗଲାଣି
ମୁଢ଼ି ଚୁଡା ଆଉ କିଏ ଖାଉଛି
ଫାଷ୍ଟ ଫୁଡ଼ ଭାରି ସ୍ୱାଦ ଲାଗୁଛି,
ବାଡ଼ି ଶାଗ ମୁଗ ପୋଖରୀର ମାଛ
ଦେଖିଲେ ଅରୁଚି ବଢି ଯାଉଛି
ଗାଆଁ ଦେଶୀ ଗଞ୍ଜା ଖାସି ମାଉଁସ
ପଦା ହୋଇଗଲା ତାଙ୍କ ବଉଁଶ,
ବ୍ରୟେଲର ସଂଗେ ହାଇବ୍ରିଡ଼ ଛେଳି
ଗାଆଁ ଗହଳିରେ ମିଳେ ବହୁତ
ଲିମ୍ବ କରଞ୍ଜ ଓ ବାଉଁସ କାଠି
ଦାନ୍ତ ଘଷା ପାଇଁ ଗଲାଣି ଉଠି,
ବ୍ରଅସ ପେଏଷ୍ଟ ପ୍ଲାଷ୍ଟିକ ପାତିଆ
ଗାଆଁ ଗହଳିରେ ମିଳେ ସବୁଠି
ଗାଆଁ ପାଖ ନଈ ଗାଆଁ ପୋଖରୀ
ଏକୂଳ ସେକୂଳ ଚିତି ପହଁରି,
ବୁଡି ଗାଧୋଇବା ଅପୂର୍ବ ଆନନ୍ଦ
ଗାଧୁଆ ଘରଟି କଲାଣି ଚୋରି
ସାବୁନ କ୍ରିମ ସାମ୍ପୋ ପାଉଡର
ଲୋସନ ଅତର କରି ବ୍ୟବହାର,
ସୋରିଷ ନଡ଼ିଆ ରାଶି ଜଡ଼ା ତେଲ
ହେଉନି ଏବେ ଆଉ ଦରକାର
ଆସନରେ ବସି ମିଶି ଭୋଜନ
କଂସା ଥାଳି ଏବେ ହେଲା ଉଭାନ,
ଖାଇବାକୁ ଲୋଡ଼ା ଚିଆର ଟେବୁଲ
କପ ପ୍ଲେଟ ସଙ୍ଗେ ଷ୍ଟିଲ ବାସନ
ଶୀତୁଆ ସକାଳ ପାଗ ମେଘୁଆ
ପଖାଳ ସାଙ୍ଗରେ ଭଜା ଶୁଖୁଆ,
କାଞ୍ଜି ତୋରାଣୀରେ ଧନିଆ ଚଟଣି
ଲାଗୁନାହିଁ ଆଉ ଏବେ ବଢିଆ
ବଳଦ ହଳକୁ ମହି ଲଙ୍ଗଳ
କାଠ ଯନ୍ତ ଆଉ କୋଡ଼ି କୋଦାଳ,
ଚାଷପାଇଁ ଏବେ ଲୋଡ଼ାନାହିଁ ଆଉ
ଚାଲିଲାଣି ପରା କଳ ଲଙ୍ଗଳ
ଗାଆଁ ଶେଷମୁଣ୍ଡ ଫଗୁ ମେଳଣ
ରାଧା କୃଷ୍ଣଙ୍କର ଦୋଳ ବିଭାନ,
ରାତି ପାହାନ୍ତାରୁ ଆସୁନାହିଁ ଏବେ
ଖୋଲୁନି ମିଠେଇ ଖଜା ଦୋକାନ
ଦୋଳ ମେଳଣର ଶ୍ରୀରାମଲୀଳା
ଓଡ଼ିଆ ସଂସ୍କୃତି ସେ ବାଦୀପାଲା,
ଗାଆଁ ପରମ୍ପରା ସ୍ମୃତି ହୋଇଗଲା
ନାଟକ କରନ୍ତି ଯାତରା ଵାଲା
ଡୁବିଲାଣି ଗାଁ ଜାତି ପରମ୍ପରା
ସାହିବସ୍ତିରେ ଭାବ ଭାଇଚାରା,
ସହରୀ ହେବାର ପ୍ରତିଯୋଗିତାରେ
ଚାଲିଅଛି ଖାଲି ଭିଡା ଓଟରା
ଗାଆଁ ପରିବେଶ ପାଣି ପବନ
ଦେଶୀ ଖାଦ୍ୟ ଖାଇ ସୁସ୍ଥ ଜୀବନ,
ସହରରେ କେହି ପାଏନାହିଁ କେବେ
ତଥାପି ବୁଝେନି କାହାର ମନ
