ଏତେ ଭଲ ତୁମେ କେମିତି ହେଲ
ଏତେ ଭଲ ତୁମେ କେମିତି ହେଲ
ଯେଉଁ ଦିନଠାରୁ ତୁମ ସହ ଭାବ
ଦେଖିଛି କେବଳ ତୁମ ସୁଗୁଣ
ଯେତେ ବି ଖୋଜିଲେ ପାଏ ନାହିଁ କେବେ
ତୁମଠାରେ ପରା ଟିକିଏ ଖୁଣ ।
ଖାଲି ମୁଁ ନୁହଁ, ଯାହା ମୁହଁ ଦେଖ
ପଢ଼ି ପାର ତୁମେ ତା'ର ହୃଦୟ
ଅପେକ୍ଷା ଶବଦ ନାହିଁ ତୁମ ପାଖେ
ଆଗଭର ପୋଛି ଦେବାକୁ ଲୁହ ।
ଆନ ଦୁଃଖେ ତୁମେ ଏତେ ଯେ ବତୁର
ଭାବିଲେ ଲାଗଇ କେତେ ଯେ ଖୁସି
ଭଲ ପାଇବାର ସଜ୍ଞାଟି କଅଣ
ତୁମଠାରୁ କେହି ଜାଣେ ଭରସି ।
ସୁଖଦୁଃଖ ଦୁଇ ସମାନ ଦେଖଇ
ସଦା ହସହସ ମୁଖ ତୁମର
ମାନଅଭିମାନ ଛୁଇଁନି ମନକୁ
ନୁହେଁ ସତେ ତୁମେ କେଡ଼େ ସୁନ୍ଦର !
ତୁମ ପାଖେ ଯେବେ ତଉଲେ ନିଜକୁ
ଭାରି ଅନୁଭବ ତୁମ ନିକିତି
ବଢେ ମୋ ଅସ୍ମିତା ଯେଣୁ ଭାବେ ବନ୍ଧା
ନଇଁ ଯାଏ ମଥା ହେ ପ୍ରିୟ ସାଥୀ !
ମନକୁ ମୋହର ପୁଚ୍ଛେ ବାରବାର
କେଉଁ ଶୁଭଲଗ୍ନେ ଜନମ ନେଲ
ଆପଣା ଅପର ନଥାଏ ବିଚାର
ଏତେ ଭଲ ତୁମେ କେମିତି ହେଲ ।