ଏନ୍ତୁଡିଶାଳରୁ ଶ୍ମଶାନ
ଏନ୍ତୁଡିଶାଳରୁ ଶ୍ମଶାନ
ଜାଣି ମୁଁ ପାରେନି ମୃତ୍ୟୁ କାହିଁକି
ଟାଣେ ଜୀବନର ରେଖା
ମରମ ତଳେ ସେ ଜାଳିଦିଏ କିଆଁ
ଜୀବନର ଅଗ୍ନିଶିଖା I
କାନରେ ଶୁଣାଇ ଜୀବନର ମନ୍ତ୍ର
ପ୍ରଣୟ ମଧୁର ସ୍ୱରେ
ଭଲ ପାଇବାର ଅମୀୟ ବନ୍ଧନେ
ବାନ୍ଧିଦିଏ ଛଳବଳେ I
ଜଣାନାହିଁ ମୋତେ ମୃତ୍ୟୁ କାହିଁକି
ଜୀବନକୁ ନିଏ ବାନ୍ଧି
କପଟ ପଣରେ ଆପଣେଇ ନିଏ
କରି କେତେ କେତେ ଫନ୍ଦି I
ମୃତ୍ୟୁ ଯେତେବେଳେ କବଳିତ କରେ
ଜୀବନ ଆଖିରୁ ଲୁହ
ଝରି ଯାଉଥାଏ ସତେ କଣ କେହି
ଦେଖିନ ଏ ଦୃଶ୍ୟ କୁହ I
ତଥାପି ଏନ୍ତୁଡିଶାଳରୁ ଆରମ୍ଭି
ଶମଶାନ ଘାଟ ଯାଏ
ଦେଖ କେଉଁପରି ଜୀବନ ସହିତ
ମରଣ ବି ଧାଉଁଥାଏ I
