ଏକା ଏକା ଜୀବନ
ଏକା ଏକା ଜୀବନ
ମୁଁ ଏକା ଏକା ବଞ୍ଚିବାକୁ ଭଲପାଏ ।
ଏକୁଟିଆପଣରେ ହିଁ ମାପିହୁଏ
ଆକାଶର ବିଶାଳତାକୁ ,
ସମୁଦ୍ରର ଗଭୀରତାକୁ,
ବୁଝିହୁଏ ପକ୍ଷୀର କାକଳି
ଆଉ ଝରଣାର କୁଳୁକୁଳୁ ନାଦକୁ ।
ଏକାକୀ ବଞ୍ଚିବା
ସମସ୍ତଙ୍କ ଦ୍ୱାରା ହୁଏନା ।
ସମସ୍ତେ ଦେଖିପାରନ୍ତିନି
ଫୁଟ୍ ପାଥ୍ ରେ ରାତି କାଟୁଥିବା
ଦୁଃଖିନୀର ମୁହଁକୁ,
ଷ୍ଟେସନରେ ହାତ ପାତୁଥିବା
ନିଷ୍ପାପ ଆଖିକୁ ।
ମୋ ଏକୁଟିଆପଣ ଜାଣେ
କାହିଁକି ଚାରୋଟି ପୁଅର ମାଆ
ବୃଦ୍ଧାଶ୍ରମ ଯାଏ ,
ଅରକ୍ଷ ମାଦଳ ପରି
ହାତଗୋଡ଼ହୀନ ଦୁଃଖିଟେ
ବଡ଼ଦାଣ୍ଡେ ଗଡୁଥାଏ ।
କିପରି କଥା କୁହେ ଲୁହ ,
କାହିଁକି ସୃଷ୍ଟି ହୁଏ କୋହ ।
ସବୁ ମୋ ଏକୁଟିଆପଣ ଜାଣେ ,
କାରଣ
ମୁଁ ଏକା ଏକା ବଞ୍ଚିବାକୁ ଭଲପାଏ ।
