ଏଇତ ଜୀବନ
ଏଇତ ଜୀବନ
ୠତୁ ଚକ୍ର ସମ ଜନ୍ମ ମୃତ୍ୟୁ ଚକ୍ର
ସଦା ଘୁରି ବୁଲୁ ଥାଇ ।
ବାଲ୍ୟ ଚପଳତା କୈଶରେ ଉତ୍ସୁକତା
ବିତଇ ଜୀବନ ଗାଇ ।
ଗାଁ ଧୂଳି ଖେଳ ମିଛ ଅଭିନୟ
ସାଙ୍ଗ ସାଥି ମେଳେ ଚୋରି ।
ବାପା ବୋଉ ମାଡ଼ ସବୁ କଥା ଛାଡ଼
ପାଠ ପଢ଼ ମନ ଦେଇ ।
ତରୁଣ କାନ୍ତିରେ ଯଉବନ ନାଚେ
କେତେ ରଙ୍ଗ ରସ ନେଇ ।
ଚାହାଣୀ ରେ ଭାସେ ମନ କଥା ଯେତେ
ରହେ ଅପାଶରା ହୋଇ ।
ଡାହାଣୀ ଭୁତୁଣୀ ଅବା ଚିରିକୁଣି
ଅପସରୀ ପରି ଲାଗେ ।
ଯେତେ କଟୁ ହେଉ ସବୁ କଥା କିଆଁ
ମିଠା ମିଠା ଖାଲି ବାସେ ।
ଜରା ଯେବେ ଆସେ ପରାକ୍ରମ ସବୁ
ଛାଏଁ ଯାଏ ଧୋଇ ଦେଇ ।
ଦିନ ଗଡ଼ି ଯାଏ କଥା ରହି ଥାଏ
ସ୍ମୃତି କୁ ମନ୍ଥିବା ପାଇଁ ।
ବିବସ ପାଦ ତ ଅବସ ଶରୀର
ରୋଗ ର ଭଣ୍ଡାର ସାଜେ ।
ବଞ୍ଚିବାର ମୋହ ତୁଟି ତୁଟି ଯାଏ
ଯଦି ସମ୍ପର୍କ କେବେ ହଜେ ।
ଆଖି ଦେଖେ ନାହିଁ ସ୍ମୃତି ଦେଖି ପାରେ
ଗଲା ଦିନ ମିଠା ଛୁଆଁ ।
କାନରେ ଶୁଭେନି ମନ ଶୁଣି ପାରେ
କାହିଁ ଲାଗେ ନିଛାଟିଆ ।
ମନ କୁ ଆକଟ କରରେ ବିବେକ
ସୁଖ ଦୁଃଖ କୁ ଯାଉ ଡେଇଁ ।
ବାଲ୍ୟ ରୁ ବାର୍ଦ୍ଧକ୍ୟ ଥିଲେ ପ୍ରଭୁ କୃପା
ମୋକ୍ଷ ଦେବେ ତୋତେ ସାଇଁ ।
