କବିତା ଗୋ
କବିତା ଗୋ
ଅଗ୍ନି କଣା ସମ ଉଦ୍ଭାସିତ ହୁଅ
ଶବ୍ଦର ଆଗ୍ନେୟଗିରି ।
ପାପ ନାଶ ଏଠି କଳୁଷ ବି ନାଶ
ରଖ ସମାଜର ଶିରି ।।
କୋମଳ କାକର ସ୍ପର୍ଶ ଦିଅ ତୁମେ
କମନୀୟ ରୂପ ଧରି ।
ମିଠା ପରଶରେ ଲିଭି ଯାଉ ଦୁଃଖ
ଯାତନା ଯାଉ ଗୋ ହରି ।।
ବରଷା ସାଜ ଗୋ ଭିଜାଇ ଦିଅ ଗୋ
ଆସ ନବ ସୃଷ୍ଟି ଧରି ।
ରୂପାନ୍ତର ହେଉ ଦୁର୍ନୀତି ଦାନବ
ସାଜ ତୁମେ ଅଶାବାରୀ ।
ଚପଳ କୁଆଁରୀ ନିଅ ମନ ହରି
ପ୍ରେମୀ ପ୍ରାଣ ଯାଉ ଭରି ।
ମିଠା ଜହ୍ନ ସ୍ମୃତି ଉଠୁ ମନେ ମାତି
ଅନ୍ଧାରର ବୁକୁ ଚିରି ।।
ହସି ହସାଅ ଗୋ ବ୍ୟଙ୍ଗ ପରିହାସେ
ମରୁ ଯେତେ ଅଣ୍ଟିଛୁରୀ ।
ବଜ୍ରାଘାତେ ତୁମ ଛାଡୁ ଅପକର୍ମ
ସମାଜ ଯାଉ ସୁଧୁରି ।।
ଯୋଗୀ ସାଜ ତୁମେ ସମାଜ କଲ୍ୟାଣେ
ଦିନ ଯାଉ ବ୍ରହ୍ମ ସ୍ମରି ।
ଅମୃତ ସନ୍ତାନ ଅମୃତ ବିତରି
ବିଷକୁ ଦିଅ ଗୋ ହରି ।।
ଶାନ୍ତିର ମୁକ୍ତିର ତୁମେ ତ ପ୍ରଭାରୀ
ତୁମେ ଜାଗ୍ରତ ପ୍ରହରୀ ।
ପ୍ରଗତି ପଥର ଯଶ ବାନା ତୁମେ
କ୍ରାନ୍ତିର ତ କ୍ରାନ୍ତିକାରୀ ।
ଅନନ୍ତ ଚେତନା ଦିଗନ୍ତ କଳ୍ପନା
ତୁମେ କାମନାର ଅରି ।
କବିତା ଗୋ ତୁମେ ସବିତା ସାଜ ଗୋ
ପଡ଼ୁ ସ୍ୱଣ୍ଣ ରେଣୁ ଝରି ।।
ପ୍ରେମିକା ପ୍ରଣୟୀ ମମତା ମୃଣ୍ମୟୀ
ସମ୍ପର୍କ ସମୟ ଧାରୀ ।
ତୁମେ ମୋ କବିତା ତୁମେ ମୋ ବନିତା
ଅମ୍ଳାନ ଅଝଟ ପରୀ ।।